ଚାଇନାକୁ ଭୟ କରି ନାହିଁ କାନାଡା

ଓଟାଓ୍ବା,୧୦।୫: କନାଡାର ଟ୍ରୁଡୋ ସରକାରଙ୍କ ପକ୍ଷରୁ ଚାଇନାର କୂଟନୀତିଜ୍ଞଙ୍କୁ ବହିସ୍କାର କରିଦେବା ପରେ ଡ୍ରାଗନ ରାଗରେ ଏକ ପ୍ରକାର ନିଆଁବାଣ ହୋଇଯାଇଛନ୍ତି। ଡ୍ରାଗନ ମଙ୍ଗଳବାର ପ୍ରତିଶୋଧ ପରାୟଣ ହୋଇ ଚାଇନାର ସାଂଘାଇ ସ୍ଥିତ ବାଣିଜ୍ୟ ଦୂତାବାସରେ ଥିବା କନସୁଲ ଜେନେରାଲଙ୍କୁ ମେ ୧୩ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରୋଧିତ ଚୀନ ଦୂତାବାସ ମଧ୍ୟ ଭୁଲ କାର୍ଯ୍ୟ ବନ୍ଦ କରିବାକୁ ଏବଂ ଭୁଲ ପଥରେ ଆଗକୁ ନ ଯିବାକୁ କାନାଡା ପକ୍ଷକୁ ଅନୁରୋଧ କରିଛି। ବର୍ତ୍ତମାନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ପ୍ରସଙ୍ଗରେ ଚାଇନାକୁ ଜବାବ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ କାନାଡା ଚାଇନାକୁ ଭୟ କରେ ନାହିଁ। ଚାଇନା ସରକାର କାନାଡା କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଟ୍ରୁଡୋଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନା ସରକାର କହିଛନ୍ତି ଯେ ଏହା କାନାଡାର କୂଟନୀତିଜ୍ଞଙ୍କୁ ଟିଟ-ଫର୍‌-ଟାଟ ପଦକ୍ଷେପ ଭାବରେ ବହିଷ୍କାର କରୁଛି। ମଙ୍ଗଳବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରୁଡୋ କହିଛନ୍ତି ଯେ ତାଙ୍କ ସରକାର ଟରୋଣ୍ଟୋ ସ୍ଥିତ ଚାଇନା କୂଟନୀତିଜ୍ଞ ଝାଓ ୱେଇଙ୍କୁ ଏହି ସପ୍ତାହରେ ଦେଶରୁ ବିତାଡିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଘଣ୍ଟା ପରେ, ବେଜିଂ ଘୋଷଣା କରିଥିଲା କି ଏହା ପାରସ୍ପରିକ ପ୍ରତିଶୋଧ ପାଇଁ ସାଂଘାଇର କାନାଡାର କନସୁଲ ଜେନିଫର୍‌ ଲିନ ଲାଲୋଣ୍ଡେଙ୍କୁ ବହିଷ୍କାର କରିବ।

Share