ବଡ଼ବିଲ,୬ା୮(ଦେବପ୍ରିୟ ରଣା): ଅମୃତ ଭାରତ ଷ୍ଟେଶନ ଯୋଜନାରେ ଭାରତୀୟ ରେଳବାଇର ୧୩୦୯ଟି ଷ୍ଟେଶନର ପୁନଃ ବିକାଶ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ୫୭ଟି ଷ୍ଟେଶନକୁ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ ହୋଇଛି। ରବିବାର ପ୍ରଥମ ପର୍ଯ୍ୟାୟରେ ୫୦୮ଟି ଷ୍ଟେଶନର ପୁନଃ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ଼ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶାର ୨୫ଟି ଷ୍ଟେଶନ ଏହି ତାଲିକାରେ ରହିଥିଲା ବେଳେ ଏଥିରେ ବଡ଼ବିଲ ରେଳ ଷ୍ଟେଶନକୁ ମଧ୍ୟ ସାମିଲ କରାଯାଇଛି। ଏହି ଷ୍ଟେଶନଗୁଡ଼ିକର ପୁନଃ ବିକାଶ କରାଯାଇ ଉନ୍ନତମାନର ସୁବିଧା ଏବଂ ଯାତ୍ରୀ ପରି ସେବା ଯୋଗାଇ ଦିଆଯିବ। ବଡ଼ବିଲ ଷ୍ଟେଶନର ନବୀକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡ଼ିଛି। ବଡ଼ବିଲ ଷ୍ଟେଶନକୁ ପ୍ରପର୍ ଏଣ୍ଟ୍ରି ଏବଂ ଏକ୍ଜିଟ୍ ଫ୍ୟାସିଲିଟି ସହିତ ସମସ୍ତ ପ୍ରକାର ଯାନବାହନର ପାର୍କିଂ ବ୍ୟବସ୍ଥା, ମାସ ଫ୍ଲାଗ୍, ଗ୍ରୀନ୍ ପ୍ୟାଚ୍, ବେଞ୍ଚ ଏବଂ ଷ୍ଟାଟସ୍ ସହିତ ସାର୍କୁଲେଟିଂ କ୍ଷେତ୍ରର ବିକାଶ ଯୋଜନା ରହିଛି। ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ଷ୍ଟାଣ୍ଡାର୍ଡ ସାଇନେଜ, ଷ୍ଟେଶନ ବିଲ୍ଡିଂର ବିକାଶ, ସେକେଣ୍ଡ କ୍ଲାସ ଏବଂ ଅପ୍ପର୍ କ୍ଲାସ ଓ୍ବେଟିଂ ହଲ୍, କ୍ୟାଣ୍ଟିନ, ଏସ୍ଏମଆର୍ ଅଫିସ୍ ଆଦିର ଉନ୍ନତିକରଣ କରାଯିବା ସହିତ ୬ଟି ନୂତନ କ୍ୱାର୍ଟର ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି । ଏହି ଯୋଜନାର ଶିଳାନ୍ୟାସ ସ୍ଥାପନ ଅବସରରେ ବଡ଼ବିଲ ଷ୍ଟେଶନଠାରେ ରବିବାର ରେଳବାଇ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା।