Categories: ଜାତୀୟ

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟଗୁଡିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ନାଗାଲାଣ୍ଡ ଉପମୁଖ୍ୟମନ୍ତ୍ରୀ ୟନ୍ତନଗୋ ପାଟନ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ  ନୂତନ ସଂସଦ ଭବନକୁ ଦେଶକୁ ଲୋକାର୍ପିତ କରିବା ପରେ ଦଳର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଅମୃତ କାଳ ଦେଶକୁ ଏକ ନୂତନ ଦିଗ ଦେବ ଏବଂ ନୂତନ ସଂସଦ ଭବନ ଦେଶର ଦୂରଦୃଷ୍ଟି ତଥା ଏକ ନୂତନ ଭାରତ ପାଇଁ ସଂକଳ୍ପର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିବ।

ସେ କହିଥିଲେ ନୂତନ ସଂସଦ ନିର୍ମାଣ ୬୦ ହଜାରରୁ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇ ଦେଇଛି ଏବଂ ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ପାଇଁ ଏକ ଡିଜିଟାଲ ଗ୍ୟାଲେରୀ ସୃଷ୍ଟି କରାଯାଇଛି।

Share