
ନୂଆଦିଲ୍ଲୀ,୩୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମେଦବହୁଳତା ବୃଦ୍ଧି ପାଉଥିବା ସମସ୍ୟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଜି ଅନେକ ଲୋକ ମୋଟାପଣର ଶିକାର ହେଉଛନ୍ତି। ଆମେ ସମସ୍ତେ ଫିଟନେସର ଗୁରୁତ୍ୱ ବୁଝୁଛୁ, ତେଣୁ ଉପଯୁକ୍ତ ପୁଷ୍ଟିସାର ବିଷୟରେ ସୂଚନା ନିରନ୍ତର ଦେଶବାସୀଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ। ଯାହାଦ୍ୱାରା ଲୋକମାନେ ସୁସ୍ଥ ରହିବେ ଏବଂ ଏକାଠି ଆମେ ଏକ ଫିଟ ଇଣ୍ଡିଆ ଗଠନ କରିପାରିବା। ସର୍ଭେ ଦର୍ଶାଉଛି ଯେ ଆମ ଦେଶରେ ମୋଟାପଣ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ପ୍ରତ୍ୟେକ ବୟସ ଗୋଷ୍ଠୀ ଏବଂ ଯୁବପିଢ଼ି ମଧ୍ୟ ଏହା ଦ୍ୱାରା ଖରାପ ଭାବରେ ପ୍ରଭାବିତ ହେଉଛନ୍ତି। ସମ୍ପ୍ରତି ଉତ୍ତରାଖଣ୍ଡରେ ଜାତୀୟ କ୍ରୀଡାର ଉଦଘାଟନୀ ଉତ୍ସବରେ ମୋଦି ଏନେଇ ଭାଷଣରେ କହିଛନ୍ତି।
ବଢ଼ୁଥିବା ସମସ୍ୟା ଚିନ୍ତାର ବିଷୟ କାରଣ ମେଦବହୁଳତା ମଧୁମେହ ଏବଂ ହୃଦରୋଗ ଭଳି ରୋଗର ଆଶଙ୍କା ବୃଦ୍ଧି କରୁଛି। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସମସ୍ୟା ମଧ୍ୟରେ, ମୁଁ ମଧ୍ୟ ସନ୍ତୁଷ୍ଟ ଯେ ଆଜି ଦେଶ ଫିଟ ଇଣ୍ଡିଆ ଆନ୍ଦୋଳନ ମାଧ୍ୟମରେ ଫିଟନେସ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ସଚେତନ ହେଉଛି।
ଆଜି ମୁଁ ଦେଶବାସୀଙ୍କୁ କହିବି ଯେ ନିଶ୍ଚିତ ଭାବରେ ଦୁଇଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଏହି ଦୁଇଟି ଜିନିଷ ବ୍ୟାୟାମ ଏବଂ ଖାଦ୍ୟ ସହିତ ଜଡିତ। ପ୍ରତିଦିନ, କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ। ଚାଲିବା ଠାରୁ ଆରମ୍ଭ କରି ବ୍ୟାୟାମ କରିବା ପର୍ଯ୍ୟନ୍ତ, ଯାହା ସମ୍ଭବ ତାହା କରନ୍ତୁ। ଦ୍ୱିତୀୟତଃ, ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଧ୍ୟାନ ଏକ ସନ୍ତୁଳିତ ଖାଦ୍ୟ ଉପରେ ରହିବା ଉଚିତ ଏବଂ ଖାଦ୍ୟ ପୁଷ୍ଟିକର ଏବଂ ସ୍ବାସ୍ଥ୍ୟକର ହେବା ଉଚିତ ବୋଲି ମୋଦି କହିଛନ୍ତି।
ସେ ଆହୁରି କହିଛନ୍ତି,ମୋଟାପଣ ଦୂର କରିବା ପାଇଁ, ଆପଣଙ୍କ ଖାଦ୍ୟରେ ଅସ୍ବାସ୍ଥ୍ୟକର ଚର୍ବି ଏବଂ ତେଲ ହ୍ରାସ କରନ୍ତୁ। ଯଦି ଆପଣ ପ୍ରତି ମାସରେ ଦୁଇ ଲିଟର ରନ୍ଧନ ତେଲ ଘରକୁ ଆଣୁଛନ୍ତି, ତେବେ ଏହାକୁ ଅତି କମରେ ୧୦ ପ୍ରତିଶତ ହ୍ରାସ କରନ୍ତୁ। ଆମେ ପ୍ରତିଦିନ ବ୍ୟବହାର କରୁଥିବା ତେଲର ପରିମାଣ ୧୦ ପ୍ରତିଶତ ହ୍ରାସ କରିବା ଉଚିତ। ମୋଟାପଣରୁ ରକ୍ଷା ପାଇବା ପାଇଁ ଆମକୁ ଏପରି କିଛି ଉପାୟ ଖୋଜିବାକୁ ପଡିବ। ଛୋଟ ଛୋଟ ପଦକ୍ଷେପ ନେବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ଆମର ପୁରୁଖାମାନେ ଏହା କରୁଥିଲେ।