Categories: ଜାତୀୟ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କୁ ଜାତୀୟ ଜୁଡିସିଆଲ ଡାଟା ଗ୍ରୀଡ ପୋର୍ଟାଲ ସହିତ ସଂଯୋଗ କରିଥିବାରୁ ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡଙ୍କୁ ଗୁରୁବାର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସିଜେଆଇ ଚନ୍ଦ୍ରଚୁଡଙ୍କ ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି, ଟେକ୍ନୋଲୋଜିର ଏପରି ବ୍ୟବହାର ସ୍ବଚ୍ଛତା ବୃଦ୍ଧି କରିବ ଏବଂ ଆମ ଦେଶରେ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଆଗକୁ ବଢାଇବ ବୋଲି ସେ କହିଛନ୍ତି।
ସିଜେଆଇ ଚନ୍ଦ୍ରଚୁଡ ଘୋଷଣା କରିଛନ୍ତି ଯେ, ସୁପ୍ରିମକୋର୍ଟ ବର୍ତ୍ତମାନ ନ୍ୟାଶନାଲ ଜୁଡିସିଆଲ ଗ୍ରୀଡ ପୋର୍ଟାଲ ସହିତ ଯୋଡାଯାଇଛି। ଖୁବ୍‌ଶୀଘ୍ର ଏଠାରେ ସମସ୍ତ ତଥ୍ୟ ରହିବ। ଏହା ଏକ ଐତିହାସିକ ପଦକ୍ଷେପ। ବର୍ତ୍ତମାନ ପୋର୍ଟାଲରେ କେବଳ ହାଇକୋର୍ଟ ଏବଂ ନିମ୍ନ ଅଦାଲତ ସମ୍ବନ୍ଧୀୟ ତଥ୍ୟ ରହିଛି।
ନ୍ୟାଶନାଲ ଜୁଡିସିଆଲ ଡାଟା ପୋର୍ଟାଲ କ୍ରମାଗତ ଭାବରେ ଦେଶର ସମସ୍ତ କୋର୍ଟରେ ବିଚାରାଧୀନ ଏବଂ ଶେଷ କରାଯାଉଥିବା ବିଭିନ୍ନ ପ୍ରକାରର ମାମଲା ବିଷୟକୁ ଅପଡେଟ୍‌ କରିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ତାଲୁକ, ଜିଲା ଏବଂ ହାଇକୋର୍ଟର ତଥ୍ୟ ଉପଲବ୍ଧ ଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

Share