Categories: ଜାତୀୟ

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର ଚତୁର୍ଥ ସଂସ୍କରଣରେ ଦେଶର ପ୍ରଧାନମନ୍ତ୍ରୀ ୧୦୦ ଦିନର କାର୍ଯ୍ୟ ସହିତ ଆଗାମୀ ୧୦୦୦ ବର୍ଷ ପାଇଁ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ଦେଶର ବିକାଶ ବିଷୟରେ କହିଥିଲେ।

ଗାନ୍ଧିନଗରରେ ଚାଲିଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ (ରି-ଇନ୍‌ଭେଷ୍ଟ 2024)ର ଚତୁର୍ଥ ସଂସ୍କରଣକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି, ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ ତାଙ୍କ ସରକାର ଦେଶର ଦ୍ରୁତ ଅଗ୍ରଗତି ପାଇଁ ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିଛନ୍ତି। କେବଳ ଦେଶବାସୀ ନୁହଁନ୍ତି ସମଗ୍ର ବିଶ୍ୱ ଅନୁଭବ କରୁଛି ଯେ ଏକବିଂଶ ଶତାବ୍ଦୀ ପାଇଁ ଭାରତ ହେଉଛି ସର୍ବଶ୍ରେଷ୍ଠ ସ୍ଥାନ। ପ୍ରଥମ ୧୦୦ ଦିନରେ (କେନ୍ଦ୍ର ସରକାରଙ୍କ ତୃତୀୟ କାର୍ଯ୍ୟକାଳ) ଆମର ପ୍ରାଥମିକତା, ଗତି ଏବଂ ମାପ ଦେଖିପାରିବେ। ଦେଶର ଦ୍ରୁତ ଅଗ୍ରଗତି ପାଇଁ ଆବଶ୍ୟକ ପ୍ରତ୍ୟେକ କ୍ଷେତ୍ର ଏବଂ କାରକ ପ୍ରତି ଧ୍ୟାନ ଦେବାକୁ ଆମେ ଚେଷ୍ଟା କରିଛୁ।

ସେ କହିଛନ୍ତି,ଆଗାମୀ ୧୦୦୦ ବର୍ଷ ପାଇଁ ଭାରତ ଅଭିବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରୁଛି ଏବଂ କେବଳ ଶୀର୍ଷରେ ପହଞ୍ଚିବା ଉପରେ ନୁହେଁ ବରଂ ସେହି ସ୍ଥିତିକୁ ବଜାୟ ରଖିବା ଉପରେ ଧ୍ୟାନ ଦିଆଯାଇଛି। ଅଯୋଧ୍ୟା ଏବଂ ଅନ୍ୟ ୧୬ଟି ସହରକୁ ମଡେଲ ‘ସୌର ସହର’ ଭାବରେ ବିକଶିତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ୧୪୦ କୋଟି ଭାରତୀୟ ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share