Categories: ଜାତୀୟ

ବାରାଣସୀରେ ‘ଦେବ ଦୀପାବଳି’ ମନାଇବେ ମୋଦି: ଗଙ୍ଗା ଘାଟରେ ଜଳାଯିବ ୧୧ଲକ୍ଷ ଦୀପ

ବାରାଣସୀ,୩୦।୧୧: ଅଯୋଧ୍ୟାରେ ଦୀପାବଳି ପାଳନ କରାଯିବା ପରେ ଏବେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ‘ଦେବ ଦୀପାବଳି’ର ଭବ୍ୟ ଆୟୋଜନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବେ। ଦେବ ଦୀପାବଳି ସମାରୋହରେ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବେ। କୁହାଯାଉଛି, ଚଳିତ ଥର ଦେବ ଦୀପାବଳି ଉତ୍ସବରେ ଗଙ୍ଗା ଘାଟରେ ୧୧ଲକ୍ଷ ଦୀପ ଜଳାଯିବ। ଯାହ ନିଜ ସ୍ତରରେ ଏକପ୍ରକାର ରେକର୍ଡ କରିଛି। ଏଥିସହ ଚେତସିଂହ ଘାଟରେ ଭବ୍ୟ ଲେଜର ଶୋ’ ଆୟୋଜିତ ହୋଇଥିବା ବେଳେ ରାବଣ ରଚିତ ଶିବ ତାଣ୍ଡବ ସ୍ତ୍ରୋତମ୍‌, ଶିବ ସ୍ତୁତି ଆଦିର ପୂର୍ବାଭ୍ୟାସ କରାଯାଇଛି।

ମୋଦିଙ୍କ ଆଗମନ ପାଇଁ ଏହି ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି। ତାଙ୍କ ପାଇଁ ବିଶେଷ କରି ଲେଜର ଶୋ’ ପ୍ରସ୍ତୁତ କରାଯାଇଛି। ସଚନାଯୋଗ୍ୟ, ସୋମବାର ଦ୍ୱିପ୍ରହରେ ୨ଟା ୧୦ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀର ବାବତପୁର ବିମାନବନ୍ଦରରେ ପହଞ୍ଚିବେ। ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ମୋଦି କ୍ରୁଜ୍‌ରେ ରବିଦାସ ଘାଟ ପାଇଁ ବାହାରିବେ ଏବଂ ଚେତସିଂହ ଘାଟରେ ୧୦ ମିନିଟ୍‌ ରହି ଲେଜର ଶୋ’କୁ ଉପଭୋଗ କରିବେ। ତେବେ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Share