ଆଜି ୩ଜିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ ନିର୍ବାଚନୀ ପ୍ରଚାର କରିବେ। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ସକାଳ ୯ଟା୩୦ରେ କନ୍ଧମାଳ ଲୋକ ସଭା ନିର୍ବାଚନମଣ୍ଡଳୀର ଫୁଲବାଣୀ ଷ୍ଟାଡିୟମଠାରେ ଏକ ଜନସଭାରେ ଯୋଗଦେବେ। ଏହାପରେ ୧୧ଟା ୩୦ ମିନିଟ୍‌ରେ ବଲାଙ୍ଗୀର ଏବଂ ୧ଟା ୩୦ରେ ବରଗଡ଼ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ରାତି ୮ଟା ୪୫ରେ ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ତାଙ୍କ ରୋଡ୍‌ ଶୋ କାର୍ଯ୍ୟକ୍ରମ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ତେବେ ମୋଦିଙ୍କୁ ଦେଖିବା ଲାଗି ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ରୋଡ୍‌ ଶୋ ଶେଷ କରିବା ପରେ ମୋଦି ବାଣୀବିହାରଠାରୁ ସିଧାସଲଖ ରାଜଭବନ ଅଭିମୁଖେ ଗସ୍ତକରି ରାତି ପ୍ରାୟ ୯ଟା ୫୩ ମିନିଟ୍‌ ସମୟରେ ସେଠାରେ ପହଞ୍ଚି ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍‌ ଶୋ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ମଧ୍ୟ ହୋଇଥିଲା।

Share