ଜର୍ମାନୀ ପରେ ଡେନ୍‌ମାର୍କରେ ପହଞ୍ଚିଲେ ମୋଦି: ଅନେକ ଚୁକ୍ତିନାମା ହେଲା ସ୍ବାକ୍ଷରିତ

କୋପେନହାଗେନ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ ଗ୍ରସ୍ତରେ ଅଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କର ରାଜଧାନୀ କୋପେନହାଗେନରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍‌ ଫ୍ରେଡ୍ରିକ୍ସନ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ମୋଦି ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍‌ ଫ୍ରେଡ୍ରିକ୍ସନଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ସମୟରେ ୨ରାଷ୍ଟ୍ରର ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିସହ ଭାରତ ଓ ଡେନମାର୍କ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତିନାମା ବିଷୟରେ ବର୍ତ୍ତମାନ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ଉଚିତ। ଏହି ଆବେଦନକୁ କ୍ରମାଗତ ଭାବେ ଭାରତ କହିଆସୁଛି ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଜର୍ମାନୀ ପରି ଡେନମାର୍କରେ ମଧ୍ୟ ମୋଦିଙ୍କ ଅନେକ କାର୍ଯ୍ୟକ୍ରମ ଯୋଗଦେବେ। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଭାରତ-ନର୍ଡିକ ସମ୍ମିଳନୀରେ ଯୋଗଦେବେ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି। ଏଥିସହ ଭାରତ-ଡେନମାର୍କ ବ୍ୟବସାୟ ଫୋରମକୁ ମୋଦି ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।

Share