Categories: ଜାତୀୟ

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସାରା ଦେଶ ପ୍ରସ୍ତୁତ ହୋଇ ସାରିଛି । ଏଥରର ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ କରୋନା କଟକଣା ମଧ୍ୟରେ ଏଥର ପାଳନ କରାଯିବ ଦୀପାବଳି । ଅଧିକାଂଶ ରାଜ୍ୟ ସରକାର ଏଥର ବାଣ ଫୁଟାଇବାକୁ ବାରଣ କରିଥିବା ବେଳେ କେବଳ ଦୀପ ଜଳାଇ ଏହି ପର୍ବକୁ ପାଳନ କରିବାକୁ କହିଛନ୍ତି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ଶୁଭ ଦୀପାବଳିର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଏଥର ପ୍ରତି ଘରେ ଦେଶର ବୀର ଯବାନଙ୍କ ପାଇଁ ଦୀପ ଜଳାନ୍ତୁ । ସେମାନେ ଘରଠାରୁ ବହୁ ଦୂରରେ ରହି ଦେଶକୁ ସୁରକ୍ଷା ଦେଉଥିବା ବେଳେ ଏହି ଆଗଧାଡିର ଯୋଦ୍ଧାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି ସେ କହିଛନ୍ତି । ଗତ ‘ମନ କି ବାତ’ କାର୍ଯ୍ୟକ୍ରମରେ ମଧ୍ୟ ମୋଦି ଏହାହିଁ କହିଥିଲେ । ଦୀପାବଳି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ସୁରକ୍ଷିତ ଓ ପ୍ରଦୂଷଣ ମୁକ୍ତ ଦୀପାପଳି ପାଳନ କରିବାକୁ କହିଛନ୍ତି ।

Share