Categories: ଜାତୀୟ

ନୂଆ ଆଇପିଏସ୍‌ଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ,୩୧।୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ଦ୍ଦାର ବଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ତାଲିମପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଲିମପ୍ରାପ୍ତ ଅଧିକାରୀଙ୍କୁ କିଛି ମନ୍ତ୍ର ଦେଇଛନ୍ତି। ପ୍ରଶିକ୍ଷକ ଅଧିକାରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂତନ ସଂକଳ୍ପ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ିବାକୁ ପଡିବ। ଅପରାଧର ମୁକାବିଲା ପାଇଁ ନୂତନ ପରୀକ୍ଷଣ ଆବଶ୍ୟକ। ଯୁବାବର୍ଗ ପୋଲିସଙ୍କ ଉପରେ ଏକ ଗୁରୁ ଦାୟିତ୍ୱ ରହିଥିବା ବେଳେ ମହିଳା ଅଧିକାରୀଙ୍କ ଭୂମିକା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସେହିପରି ଦେଶ ସେବାରେ ଅଧିକାରୀଙ୍କ ଶିକ୍ଷା ଉପଯୋଗୀ ହୋଇଥାଏ ବୋଲି ମୋଦି କହିଛନ୍ତି। ଏଥିସହ ମୋଦି ପୋଲିସ ଅଧିକାରୀଙ୍କୁ ନିଜର ଫିଟ୍‌ନେସକୁ ମଜବୁତ ରଖିବାକୁ ପରାମର୍ଶ ଦେଇଛନ୍ତି। କାରଣ ନିଜେ ଫିଟ୍‌ ରହିଲେ ସମାଜ ବି ଭଲ ରହିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସତ୍ୟାଗ୍ରହ ଆନ୍ଦୋଳନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସତ୍ୟଗ୍ରାହ ଆଧାରରେ ଗାନ୍ଧୀ ବ୍ରିଟିଶମାନଙ୍କର ମୂଳଦୁଆକୁ ହଲାଇ ଦେଇଥିଲେ। ଅନ୍ୟପଟେ ପ୍ରଶିକ୍ଷକ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଭବିଷ୍ୟତ ଯୋଜନା ବିଷୟରେ ସୂଚନା ଦେବା ସହ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୪୪ ତାଲିମପ୍ରାପ୍ତ ପୋଲିସ କର୍ମଚାରୀ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ରାଜ୍ୟ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଉପସ୍ଥିତ ରହିଥିଲେ।

Share