Categories: ଜାତୀୟ

ତେଲେଙ୍ଗାନାକୁ ମିଳିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, କାର୍ଯ୍ୟକ୍ରମରୁ ଦୂରେଇ ରହିଲେ କେସିଆର

ହାଇଦ୍ରାବାଦ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ରାଜ୍ୟପାଳ ଡା.ତମିଲିସାଇ ସୁନ୍ଦରରାଜନ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଛନ୍ତି। ପିଏମଓ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ମୋଦି ସେଠାରେ ୧୧,୩୬୦ କୋଟି ଟଙ୍କାର ପରିଯୋଜନାକୁ ଉଦଘାଟନ କରିବେ।
ଏହିକ୍ରମରେ ମୋଦି ଶନିବାର ହାଇଦ୍ରାବାଦରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦେଶର ୧୩ ତମ ବନ୍ଦେ ଭାରତ ଏକ୍ସପ୍ରେସ। ଏହି ଟ୍ରେନ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆଇଟି ସିଟି ହାଇଦ୍ରାବାଦକୁ ଭଗବାନ ଭେଙ୍କଟେଶ୍ୱରଙ୍କ ନିବାସ ତିରୁପତି ସହ ଯୋଡିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦିଙ୍କ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ମୋଦି ତାଙ୍କ ଗସ୍ତ ସମୟରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, କେତେକ ଲୋକେ ବିକାଶ କାର୍ଯ୍ୟକୁ ଦେଖି ବିଳିବିଳାଉଛନ୍ତି। ଏମିତି ଲୋକେ ଯେଉଁମାନେ ପରିବାରବାଦ,ଭାଇ-ପୁତୁରାଭାବ ଓ ଭ୍ରଷ୍ଟାଚାରକୁ ପୋଷୁଛନ୍ତି। ତେଣୁ ଏମାନଙ୍କୁ ବିକାଶ କାର୍ଯ୍ୟ ଚିନ୍ତାରେ ପକାଇ ଦେଉଛି। ଏମାନଙ୍କୁ ଦେଶ, ସମାଜଠାରୁ କୌଣସି ଲେଣ ଦେଣ ନାହିଁ। ସେ କେବଳ ତାଙ୍କ ଅଣ୍ଟିକୁ ପୂରଣ ହେବା ଦେଖୁଛନ୍ତି। ତେଲେଙ୍ଗନା ଏମିତି ଲୋକଙ୍କଠାରୁ ସତର୍କ ରହିବା ଜରୁରୀ।

Share