Categories: ଜାତୀୟ

୧୦୮ ଫୁଟ୍‌ ଉଚ୍ଚତାର ହନୁମାନ ମୂର୍ତ୍ତିର ଉଦ୍‌ଘାଟନ କଲେ ମୋଦି

ଗାନ୍ଧୀନଗର,୧୬।୪: ସାରାଦେଶରେ ଶନିବାର ହନୁମାନ ଜୟନ୍ତୀ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏଥିସହ ପବନପୁତ୍ରଙ୍କ ଆଶୀର୍ବାଦ ସର୍ବଦା ସମସ୍ତଙ୍କ ଉପରେ ରହିଥାଉ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଶନିବାର ଗୁଜରାଟ ମୋର୍ବିିରେ ଭଗବାନ ହନୁମାନଙ୍କ ୧୦୮ଫୁଟ୍‌ ଉଚ୍ଚତାର ଏକ ମୂର୍ତ୍ତିକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିମାକୁ ମୋର୍ବିରେ ଥିବା ପରମ ପୂଜ୍ୟ ବାପୁ କେଶବାନନ୍ଦଙ୍କ ଆଶ୍ରମରେ ସ୍ଥାପିତ କରାଯାଇଛି। ଏହି ବିରାଟ ପ୍ରତିମା ନିର୍ମାଣ ୨୦୧୮ରେ ଆରମ୍ଭ ହୋଇଥିଲା। ଏହାର ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଅବସରରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ମୋଦି ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, ହନୁମାନ ହେଉଛନ୍ତି ଶ୍ରେଷ୍ଠ ଭାରତର ସୂତ୍ର। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଏହି ପ୍ରତିମୂର୍ତ୍ତି ହନୁମାନଜୀ ଚାର ଧାମ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି। ଦେଶର ଚାରି ଦିଗରେ ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ। ମୋର୍ବିରେ ତିଆରି ହୋଇଥିବା ହନୁମାନଙ୍କ ମୂର୍ତ୍ତି ହେଉଛି ଚାରୋଟିରୁ ଦ୍ୱିତୀୟ ପ୍ରତିମୂର୍ତ୍ତି। ହନୁମାନଜୀ ଚାର ଧାମ ପ୍ରକଳ୍ପ ୨୦୦୮ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ପ୍ରଥମ ପ୍ରତିମୂର୍ତ୍ତି ୨୦୧୦ରେ ଶିମଲାରେ ସ୍ଥାପିତ କରାଯାଇଥିଲା। ସେହିପରି ଦେଶର ଦକ୍ଷିଣରେ ଥିବା ରମେଶ୍ୱରମରେ ହନୁମାନଙ୍କର ତୃତୀୟ ପ୍ରତିମୂର୍ତ୍ତି କାମ ଆରମ୍ଭ ହୋଇଛି।

Share