ଜାପାନ ବାଳକଙ୍କ ମୁହଁରୁ ଏମିତି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ

ଟୋକିଓ,୨୩।୫: କ୍ୱାଡ୍‌ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ହୋଟେଲ ନ୍ୟୁ ଓଟାନିରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟର ଲୋକମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଜୟ ଶ୍ରୀ ରାମ ଏବଂ ମୋଦି ମୋଦି ସ୍ଲୋଗାନରେ ହୋଟେଲ୍‌ କମ୍ପିଥିଲା। ଏହି ସମୟରେ ହିନ୍ଦୀରେ ଜାପାନୀ ପିଲାଙ୍କ ସହ ମୋଦିଙ୍କ ବାର୍ତ୍ତାଳାପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ପ୍ରଧାନମନ୍ତ୍ରୀଙ୍କ ଝଲକ ଟିକେ ଦେଖିବାକୁ ଅନେକ ପିଲା ଉତ୍ସାହିତ ଥିଲେ। ମୋଦି ନିଜେ ପ୍ରଥମେ ସମସ୍ତ ପିଲାଙ୍କୁ ଭେଟିଥିଲେ, ସେମାନଙ୍କ ସହ କଥା ହୋଇଥିଲେ ଏବଂ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜାପାନର ଅନେକ ପିଲା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଖି ଜଣେ ଜାପାନୀ ପିଲାଙ୍କ ଉପରେ ପଡିଥିଲା, ଯିଏ ତାଙ୍କ ଅଟୋଗ୍ରାଫ ଚାହୁଁଥିଲେ। ମୋଦି ତାଙ୍କୁ ଅଟୋଗ୍ରାଫ ନେବା ସହିତ ପ୍ରଶଂସା କରିଥିଲେ। କାରଣ ପିଲାଟି ହିନ୍ଦୀରେ କଥା ହେଉଥିଲେ। ପିଲାଟିର କଥା ଶୁଣି ମୋଦି ଆଶ୍ଚର୍ଯ୍ୟ ହୋଇ କହିଥିଲେ, ଓ୍ବାଓ! ତୁମର ହିନ୍ଦୀ ବହୁତ ଭଲ। ତୁମେ ଏହା କେଉଁଠାରୁ ଶିଖିଲ? ପିଲାଟି କହିଥିଲେ ଯେ, ସେ ହିନ୍ଦୀର ଅନ୍‌ଲାଇନ କ୍ଲାସ କରୁଛନ୍ତି।
ଭାରତୀୟ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ସକାଳ ୪.୨୦ରେ ଟୋକିଓରେ ଅବତରଣ କରିଛି। ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ନେତାଙ୍କ ସହ ଆଲୋଚନା କରିବେ।

Share