ମୁମ୍ବାଇ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ନବମ ଏବଂ ଦଶମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି। ଶୁକ୍ରବାର ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ସବୁଜ ପତାକା ଦେଖାଇ ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ସମୟରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବନ୍ଦେ ଭାରତ ଟ୍ରେନ ସମସ୍ତଙ୍କୁ ସୁବିଧା ଯୋଗାଇବ। ତେବେ ଏହି ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ସାଇନଗର ଶିର୍ଡିକୁ ସଂଯୋଗ କରିବ। ଏ ପର୍ଯ୍ୟନ୍ତ ୧୦ ଟି ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଥିବା ବେଳେ ୧୭ ଟି ରାଜ୍ୟର ୧୦୮ ଟି ଜିଲାକୁ ଏହା ସଂଯୋଗ ହୋଇସାରିଛି।