ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିଲେ ମୋଦି. ଭାରତ ଆସିବାକୁ ଦେଲେ ନିମନ୍ତ୍ରଣ

ୱାଶିଂଟନ,୨୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି । ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ସକାଳୁ ସେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ କମଲା ପ୍ରଥମେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ନିଜକୁ ଗର୍ବ ଅନୁଭବ କରିଥିବା କହିଥିଲେ । ପ୍ରଥମଥର ଲାଗି ଜଣେ ଭାରତୀୟ ମୂଳବାସିନ୍ଦା ଆମେରିକାର ଉପରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଆତଙ୍କବାଦ କଥା ଆଲୋଚନା ହେବା ସହ ପାକିସ୍ତାନକୁ ଏଥିପାଇଁ ପରୋକ୍ଷରେ ଦାୟୀ କରାଗଲା । ପାକିସ୍ତାନରେ ଥିବା କିଛି ଆତଙ୍କବାଦୀ ସଙ୍ଗଠନ ଆମେରିକା ଓ ଭାରତ ପାଇଁ ଯେପରି ଅସୁବିଧା ସୃଷ୍ଟି ନ କରନ୍ତି ସେ ପ୍ରତି ମଧ୍ୟ ଦୃଷ୍ଟି ଦେବା କଥା ଆଲୋଚନା ହୋଇଛି । କମଲାଙ୍କୁ ଭେଟି ମୋଦି ଅତ୍ୟନ୍ତ ଖୁସି ଅନୁଭବ କରିଥିବା ପ୍ରକାଶ କରିଥିଲେ । ଏହାସହ ସେ କମଲାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । କମଲା ଭାରତ ଆସିଲେ ସମସ୍ତ ଭାରତୀୟ ଖୁସି ହେବେ ବୋଲି ମୋଦି କହିଛନ୍ତି । କମଲାଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସ ସାରା ବିଶ୍ୱ ପାଇଁ ଏକ ପ୍ରେରଣା ।

Share