Categories: ଜାତୀୟ

ପ୍ରଧାନମନ୍ତ୍ରୀ-ବିରୋଧୀ ଦଳର ନେତା-ପ୍ରଧାନ ବିଚାରପତିଙ୍କ କମିଟି କରିବେ ନିର୍ବାଚନ କମିଶନରଙ୍କ ଚୟନ: ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୨।୩ : ନିର୍ବାଚନ ଆୟୋଗରେ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ଼ ରାୟ ଦେଇଛନ୍ତି। ଜଷ୍ଟିସ ଜୋସେଫ କହିଛନ୍ତି ଯେ ବର୍ତ୍ତମାନ କେବଳ ରାଷ୍ଟ୍ରପତି ନିର୍ବାଚନ ଆୟୋଗରେ କମିଶନର ନିଯୁକ୍ତ କରିବେ। କିନ୍ତୁ ତାଙ୍କର ଚୟନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ପ୍ରଧାନ ବିଚାରପତିଙ୍କର ଏକ ମିଳିତ କମିଟି ଦ୍ୱାରା କରାଯିବ।

ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର(ଇସି)ଙ୍କ ନିଯୁକ୍ତି ପାଇଁ କଲେଜିୟମ ଭଳି ବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ତାଙ୍କ ରାୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳର ନେତା କିମ୍ବା ସର୍ବବୃହତ ବିରୋଧୀ ଦଳର ନେତା ତଥା ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଏକ କମିଟି ଏହା ଚୟନ କରିବେ।

ତେବେ ନିଯୁକ୍ତି ଅଧିକାର ରାଷ୍ଟ୍ରପତିଙ୍କ ପାଖରେ ରହିବ। ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ରହିଛନ୍ତି। ଗତ ବର୍ଷ ନଭେମ୍ବର ୨୪ ରେ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ସଂରକ୍ଷିତ ରଖିଥିଲେ।

Share