ମାତ୍ର ଗୋଟିଏ ଦିନର ପେଟ୍ରୋଲ ବାକି

କଲମ୍ବୋ,୧୬।୫: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ କହିଛନ୍ତି। ଦେବାଳିଆ ହୋଇପଡ଼ିଥିବା ଦେଶକୁ ଆଗାମୀ ଦିନରେ ଅଧିକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସେଠାରେ ଦୈନିକ ୧୩ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବା ବେଳେ ତାହା ୧୫ ଘଣ୍ଟାକୁ ବଢ଼ିବା ସମ୍ଭାବନା ରହିଛି। ସରକାର ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ମହିନ୍ଦା ରାଜପାକ୍‌ସେଙ୍କ ଇସ୍ତଫା ପରେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା ରାନିଲ ଏବେ କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ସଙ୍କଟର ସମାଧାନ ସୂତ୍ର ବାହାର କରିବା ନିମନ୍ତେ ସେ ସବୁ ରାଜନୈତିକ ଦଳଙ୍କୁ ନେଇ ଏକ ଜାତୀୟ ପରିଷଦ ଗଠନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ଏଥିସହ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ ଲାଗି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି। ପୂର୍ବ ସରକାର ୨.୩ ଟ୍ରିଲିୟନ ଶ୍ରୀଲଙ୍କା ଟଙ୍କାର ରାଜସ୍ବ ସଂଗ୍ରହର ପୂର୍ବାନୁମାନ କରିଥିବା ବେଳେ ତାହା ୧.୬ ଟ୍ରିଲିୟନକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଦେଶରେ ୧୪ଟି ଜରୁରୀ ଔଷଧର ଅଭାବ ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଦରଦାମ୍‌ ଆହୁରି ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କର୍ମଚାରୀଙ୍କ ବେତନ ଓ ଜରୁରୀ ଖର୍ଚ୍ଚ ପାଇଁ ଟଙ୍କା ଛାପିବା ଜାରି ରଖିବାକୁ ହେବ ବୋଲି ସେ କହିଛନ୍ତି।

Share