ବାଲେଶ୍ୱର ଅଫିସ,୨୦।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦହପଡ଼ା ପଞ୍ଚାୟତରେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଥିବା ନେଇ ଅଞ୍ଚଳବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
ଉକ୍ତ ପଞ୍ଚାୟତର ଦହପଡ଼ା, କଣ୍ଟାବଣିଆ, ଗମ୍ଭାରିଆ, କାଶିମପୁର, ରୁଦ୍ରଗୋପାଳପୁର ଗ୍ରାମର ଲୋକମାନେ ଦୀର୍ଘଦିନ ଧରି ମାଟି ଘରେ ଚାଳ ଓ ଜରି ପକାଇ ରହି ଆସୁଛନ୍ତି। ସେମାନଙ୍କ ନାମ ପ୍ରକାଶ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନ ଥିବା ବେଳେ ପକ୍କା ଘର ଥିବା ଓ ସ୍ବଚ୍ଛଳ ବର୍ଗ ଲୋକଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି। ଏହାକୁ ବିରୋଧ କରି ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ତାଲିକାକୁ ପୁନର୍ବାର ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଜଣାଇଛନ୍ତି। ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ହେବାର ପୂର୍ବତନ ସରପଞ୍ଚ ସୃଷ୍ଟିଧର ଦାସ, ସେକ୍ ନସୁରୁ, ସେକ୍ ନୁରୁ, ନଗିନା ବିବି, ସଗେରା ବିବି, ତାଜୋ ଖାତୁନ ଓ ସେରାଅ ମିରୁଦ୍ଦିନ ପ୍ରମୁଖ ଚେତାବନୀ ଦେଇଛନ୍ତି।