Categories: ଜାତୀୟ

‘ଅଚିନ୍ତାରେ ଶୋଇଛନ୍ତି ପ୍ରଧାନମନ୍ତ୍ରୀ’

ନୂଆଦିଲ୍ଲୀ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭଳି ଲଜ୍ଜାଜନକ ଘଟଣାକୁ ବିରୋଧୀ ସଂସଦରେ ଜୋରଦାର ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ ବିରୋଧୀ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଭିଡିଓ ସାମ୍ନାକୁ ଆସିବା ପରେ ସମଗ୍ର ବିରୋଧୀ ଦଳ ଉଗ୍ର ରୂପ ନେଇଛନ୍ତି ଏବଂ କଂଗ୍ରେସ, ଏଏପି ଏବଂ ଟିଏମସି ସମେତ ବିଭିନ୍ନ ରାଜନୈତିକ ଦଳ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ସହିତ ସରକାରଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠିଛି।
ଅନ୍ୟପକ୍ଷରେ ସଂସଦରେ ମଧ୍ୟ ଏହି ପ୍ରସଙ୍ଗରେ ବିତର୍କ କରିବାକୁ କେନ୍ଦ୍ର ପ୍ରସ୍ତୁତ ଅଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ଘଟଣାକୁ ସମ୍ପୂର୍ଣ୍ଣ ଅମାନବୀୟ ବୋଲି କହିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ କଥା ହୋଇଛନ୍ତି। ଏହି ପ୍ରସଙ୍ଗରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଦୋଷୀଙ୍କୁ ଦଣ୍ଡ ଦେବେ ବୋଲି ଇରାନୀ ନିଶ୍ଚିତ କରିଛନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ସମାଜରେ ମହିଳା ଓ ଶିଶୁଙ୍କୁ ସର୍ବାଧିକ ହିଂସା ଭୋଗିବାକୁ ପଡୁଛି। ସେ ଆହୁରି ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ମଣିପୁରରେ ଘଟିଥିବା ହିଂସା ଘଟଣାରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ କାହିଁକି ଅନ୍ଧ ଭାବରେ ବସିଛନ୍ତି? ଏପରି ଚିତ୍ର ଏବଂ ହିଂସାତ୍ମକ ଘଟଣା ସେମାନଙ୍କୁ ବିଚଳିତ କରେ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

Share