Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ। ଯଦିଓ ସେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ଘେରିବା ଆରମ୍ଭ କରିଛନ୍ତି। ସେ କହଛନ୍ତି ଯେ ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି, ସେତେବେଳେ ସେ ବହୁତ ଅହଙ୍କାରୀ ଥିଲେ। ମୁଁ ତାଙ୍କ ସହ ଝଗଡା କରିଥିଲି।

‘ମୁଁ ତାଙ୍କୁ କହିଲି ଯେ ଆମର ୫୦୦ ଲୋକ ମରିଛନ୍ତି, ସେ କହିଥିଲେ ସେମାନେ କ‘ଣ ମୋ ପାଇଁ ମରିଛନ୍ତି କି? ମୁଁ କହିଲି ହଁ ତୁମ ପାଇଁ ସେମାନେ ମରିଛନ୍ତି। କାରଣ ଆପଣ ରାଜା ହୋଇଛନ୍ତି’। ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁମେ ଅମିତ ଶାହାଙ୍କୁ ଭେଟ। ତାପରେ ମୁଁ ଅମିତ ଶାହାଙ୍କୁ ଭେଟିଲି ବୋଲି ସତ୍ୟପାଲ କହିଛନ୍ତି।

ହରିୟାଣାର ଦାଦରିଠାରେ ଏକ କୃଷକ କାର୍ଯ୍ୟକ୍ରମରେ ଯୋଗଦେଇ ସତ୍ୟପାଳ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପ୍ରଧାନନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି କରିବା ବ୍ୟତିତ ଅନ୍ୟ କୌଣସି ବାଟ ମଧ୍ୟ ନ ଥିଲା। ମଲିକ କହିଛନ୍ତି ଯେ ସେ ଜଣେ ରାଜ୍ୟପାଳ, ମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଅବସର ପରେ ତାଙ୍କର ରହିବା ପାଇଁ ନିଜସ୍ବ ଘର ନାହିଁ। ସର୍ବଦା ସଚ୍ଚୋଟ ଭାବରେ ସେ କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି। ତାହା ହେଉଛି ତାଙ୍କର ଶକ୍ତି ବୋଲି ସେ କହିଛନ୍ତି। ମଲିକ କହିଛନ୍ତି ଯେ ଏହି ଶକ୍ତି ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇ ପାରିଛନ୍ତି।

ସେ କହିଛନ୍ତି ଯେ ଲୋକଙ୍କ ଏକତା ଏବଂ ସବୁ ପରିସ୍ଥିତିରେ ସେମାନଙ୍କର ଏକନିଷ୍ଠ ମନୋଭାବ ଯୋଗ କୃଷି ଆଇନକୁ ଫେରାଇ ନିଆଯାଇଛି। ଚୌଧୁରୀ ଚରଣ ସିଂଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ସେ କୌ ଣସି ପରିସ୍ଥିତିରେ କୃଷକ ଏବଂ ତାଙ୍କ ଲୋକଙ୍କ ପକ୍ଷ ଛାଡିବେ ନାହିଁ। ସେ କହିଛନ୍ତି ଯେ ଯଦି ଆନ୍ଦୋଳନ ପୁଣି ଥରେ ହୁଏ ତେବେ ସେ ରାଜ୍ୟପାଳ ପଦରୁ ବିଦାୟ ନେବେ। ତେବେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦୁର୍ନୀତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ।

ସୂଚନାଯୋଗ୍ୟ, ସତ୍ୟପାଲ ମଲିକ ଦୀର୍ଘ ସମୟ ଧରି କୃଷକମାନଙ୍କ ପ୍ରସଙ୍ଗରେ କୃଷକମାନଙ୍କ ପ୍ରସଙ୍ଗରେ ବିବୃତ୍ତି ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଥର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ତେବେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ମଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ସେ କହିଥିଲେ ଯେ ବିଳମ୍ବ ହେଲେ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି।

Share