ସେରାଓ୍ବିକ୍‌ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ

ହୋଷ୍ଟନ, ୨୮ା୨: ଭାରତରେ ପରିବେଶ ଓ ଉର୍ଜା କ୍ଷେତ୍ରରେ ସ୍ଥାୟୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେରାଓ୍ବିକ୍‌ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନ୍‌ଭାରଇନମେଣ୍ଟ ପୁରସ୍କାର ପ୍ରଦାନ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଅନ୍ତର୍ଜାତୀୟ ସେରାଓ୍ବିକ୍‌ କନ୍‌ଫରେନ୍ସ-୨୦୨୧ରେ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଆୟୋଜକ ଆଇଏଚ୍‌ଏସ୍‌ ମାର୍କିଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେରାଓ୍ବିକ୍‌ର ୩୯ ତମ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯିବ। ଏଥିରେ ମୋଦି ମଧ୍ୟ ବକ୍ତବ୍ୟ ରଖିବେ। ଅଥନୈତିକ ବିକାଶ, ଦାରିଦ୍ର୍ୟ ହ୍ରାସ ତଥା ନୂତନ ଶକ୍ତିର ଭବିଷ୍ୟତ ଆଡକୁ ଗତି କରିବାରେ ଭାରତ ବିଶ୍ୱ ଶକ୍ତି ଭାବେ ଉଭା ହୋଇଛି ବୋଲି ଆଇଏଚ୍‌ଏସ୍‌ ମାର୍କିଟର ଉପାଧ୍ୟକ୍ଷ ଡାନିଏଲ ୟର୍ଗିନ କହିଛନ୍ତି। ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଜାଣିବା ପାଇଁ ସେ ଉତ୍ସାହିତ ଥିବା ୟର୍ଗିନ କହିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟ ପ୍ରବକ୍ତା ଭାବେ ଜଳବାୟୁ ପାଇଁ ଆମେରିକାର ସ୍ବତନ୍ତ୍ର ରାଷ୍ଟ୍ରଦୂତ ଜନ୍‌ କେରୀ, ବିଲ୍‌ ଏବଂ ମେଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନର ସହଅଧ୍ୟକ୍ଷ ଆମିନ୍‌ ନାସିର ପ୍ରମୁଖ ଉପସ୍ଥିତ ରହିବେ।

Share