ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର: ୨୧ଟି ଅମୃତ ଷ୍ଟେଶନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୩।୨(ଅନୁରାଧା ମହାରଣା) :ଦେଶର ରେଳ ଭିତ୍ତିଭୂମିରେ ପରିବର୍ତ୍ତନ ବ୍ୟାପକ ପରିବର୍ତ୍ତନ ହେଉଛି। ଆସନ୍ତା ୨୬ ତାରିଖରେ ୫୫୪ଟି ରେଳ ଷ୍ଟେଶନ, ୧୫୦୦ ରୋଡ୍‌ ଓଭର ବ୍ରିଜ (ଆର୍‌ଓବି) ଓ ରୋଡ୍‌ ଅଣ୍ଡର ବ୍ରିଜ୍‌ (ଆର୍‌ୟୁବି) ପ୍ରକଳ୍ପର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିବେ। ଶୁକ୍ରବାର ରେଳ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୯୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଓଡ଼ିଶାରେ ୨୧ଟି ଅମୃତ ଷ୍ଟେଶନ ନିର୍ମାଣ ହେବ। ଏହି ତାଲିକାରେ ବିମଳାଗଡ଼, ଜରୋଳି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼ ଓ ବ୍ରଜରାଜନଗର ଷ୍ଟେଶନ ରହିଛି।
ଏହାବାଦ୍‌ ପୂର୍ବତଟ ରେଳପଥର ଜୋନ୍‌ (ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼) ମଧ୍ୟରେ ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆଉ ୨୨ଟି ଅମୃତ ଭାରତ ରେଳ ଷ୍ଟେଶନରେ ଶିଳାନ୍ୟାସ କରାଯିବ। ଏହି ଷ୍ଟେଶନଗୁଡ଼ିକ ହେଲା ନଉପଡ଼ା, ସିଂହଚଲମ, ବବିଲି, ଶ୍ରୀକାକୁଲମ ରୋଡ୍‌, ପାର୍ବତୀପୁରମ୍‌, ଚିପୁରୁପାଲ୍ଲେ, ସମ୍ବଲପୁର ସିଟି, ଝାରସୁଗୁଡ଼ା ରୋଡ୍‌, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଭଦ୍ରକ, ଆରାକୁ, କୋଟାଭାଲାସା, ଇଚ୍ଛାପୁରମ୍‌ ଆଦି ରହିଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶରେ ଉଲ୍ଲେଖନୀୟ ପ୍ରୋତ୍ସାହନ ମିଳୁଛି। ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ମୋଟ ୫୨ଟି ଆର୍‌ଓବି ଏବଂ ଆର୍‌ୟୁବି ରହିଛି। ଏଥିପାଇଁ ୧୪୨୦ କୋଟି ଟଙ୍କା ବ୍ୟୟମଞ୍ଜୁର କରାଯାଇଛି। କେବଳ ପୂର୍ବତଟ ରେଳପଥ ଜୋନ୍‌ରେ ୧୨୮୮ କୋଟି ଟଙ୍କା ବ୍ୟୟରେ ୩୦ଟି ଆର୍‌ଓବି/ଆରୟୁବିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଛି।

Share