ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ବୈଠକରେ ଦେଶରେ କରୋନା ସ୍ଥିତିର ସମୀକ୍ଷା କରିବେ। କରୋନାର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପଦକ୍ଷେପ ନେବାକୁ କହିସାରିଛନ୍ତି।

ବୃଦ୍ଧି ପାଉଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ନେଇ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓମିକ୍ରନ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ବୈଜ୍ଞାନିକ ପ୍ରମାଣ ଅନୁସାରେ ଓମିକ୍ରନ ଡେଲ୍ଟା ଭାରିଆଣ୍ଟ୍‌ ତୁଳନାରେ ୩ ଗୁଣ ଅଧିକ ସଂକ୍ରାମକ।

ହସ୍ପିଟାଲରେ ଶଯ୍ୟା କ୍ଷମତା ବୃଦ୍ଧି କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି। ସେହିପରି ଲଜିଷ୍ଟିକ୍ସ, ରୋଗୀମାନଙ୍କୁ ପରିବହନ ପାଇଁ ବ୍ୟବସ୍ଥା, ଅମ୍ଳଜାନ ଉପକରଣର ଉପଲବ୍ଧତା, ଔଷଧର ବଫର ଷ୍ଟକ ବିଷୟରେ ମଧ୍ୟ କୁହାଯାଇଛି। ଏହା ସହିତ ଟିକାକରଣର କଭରେଜକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Share