ଆଜି ଏତିକି ବେଳେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସ୍ତି ଟଙ୍କା

ଭୁବନେଶ୍ୱର,୧୮ା୬ (ଅନିଲ ଦାସ):କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍‌ ୧୮ରେ ପିଏମ୍‌-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍‌-କିଷାନ ଉତ୍ସବ ଦିବସ ଆକାରରେ ପାଳନ କରାଯାଉଛି। ଓଡ଼ିଶାରେ ମଧ୍ୟ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୭ଟା ମଧ୍ୟରେ ପିଏମ୍‌- କିଷାନ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଏମ୍‌ପିମାନେ ବିଭିନ୍ନ ଜିଲାରେ ଅତିଥି ଭାବେ ଉପସ୍ଥିତ ରହି ଉତ୍ସବକୁ ପାଳନ କରିବେ। ଏଥିପାଇଁ ପ୍ରସ୍ତୁତି କରିବାକୁ ସମସ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଜିଲାରେ ପିଏମ୍‌-କିଷାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବରଗଡ଼, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ, କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ କଟକ, ରବିନାରାୟଣ ନାୟକ ନୟାଗଡ଼, ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ରାପଡ଼ା, କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ, ପୃଥ୍ବୀରାଜ ହରିଚନ୍ଦନ ଖୋର୍ଦ୍ଧା, ମୁକେଶ ମହାଲିଙ୍ଗ କେଭିକେ ସିଆଇଏଫ୍‌ଏଚ କୋଶଲ୍ୟାଗଙ୍ଗ, ବିଭୂତି ଭୂଷଣ ଜେନା ଗଞ୍ଜାମ, କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୋଳ ଜିଲାରେ ଅତିଥି ଭାବେ ଯୋଗଦେବେ। ସେହିପରି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲାରେ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ପ୍ରଦୀପ ବଳସାମନ୍ତ ଯାଜପୁର, ଗଣେଶ ରାମ ସିଂଖୁଣ୍ଟିଆ କେଭିକେ ବଡ଼ଚଣା, ଗୋକୁଳାନନ୍ଦ ମଲ୍ଲିକ କେଭିକେ ଭଞ୍ଜନଗର, ସମ୍ପଦ ଚରଣ ସ୍ବାଇଁ ଜଗତ୍‌ସିଂହପୁର ଜିଲାରେ ଉପସ୍ଥିତ ରହିବେ। ସେହିପରି ବାଲେଶ୍ୱର, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରେ ସମ୍ପୃକ୍ତ ଏମ୍‌ପିମାନେ ଅତିଥି ଭାବେ ଯୋଗଦେବେ।

Share