Categories: ଜାତୀୟ

ଆନ୍ଦୋଳନରୁ ଓହରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ, ୯।୨: କେନ୍ଦ୍ରର ୩ ନୂଆ କୃଷି ଆଇନ ବିରୋଧରେ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନଙ୍କୁ ଓହରିଯିବା ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁ ଦଳଗୁଡ଼ିକ ନୂଆ କୃଷି ସଂସ୍କାରକୁ ନେଇ ଏବେ ୟୁ-ଟର୍ନ କରିଛନ୍ତି, ଭାଜପା ନେତୃତ୍ୱାଧୀନ ସରକାର ଉକ୍ତ ଆଇନ ଆଣିଥିବାରୁ ସେମାନେ ଗର୍ବିତ ହେବା କଥା। କାରଣ ଏକଦା ସେମାନଙ୍କ ନେତାମାନେ ଉକ୍ତ ସଂସ୍କାର ନୀତିକୁ ସମର୍ଥନ କରିଥିଲେ। କୃଷି ଉତ୍ପାଦର ବିକ୍ରି ଲାଗି ଏକକ ବଜାର ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୋର୍‌ ଦେଇଥିଲେ। ଚାଷୀ ଅଧିକ ଦାମ୍‌ରେ ଯେପରି ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବ ସେଥିପାଇଁ ସ୍ବାଧୀନତା ଦେବା ସପକ୍ଷରେ ମନମୋହନଜୀ ଥିଲେ ବୋଲି ମୋଦି କହିଥିଲେ। ଆମେ ପଛକୁ ନ ଯାଇ ଆଗକୁ ବଢ଼ିବା ଉଚିତ। ସଂସ୍କାରକୁ ଏକ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କୃଷି ଆଇନ ଓ ବିଭିନ୍ନ ପଦକ୍ଷେପ ସପକ୍ଷରେ କହିବା ସହ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ ସଂଖ୍ୟା ୧୯୭୧ରେ ୫୧ ପ୍ରତିଶତ ଥିବାବେଳେ ତାହା ୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏବେ ୮୬ ପ୍ରତିଶତ ଚାଷୀଙ୍କର ୨ ହେକ୍ଟରରୁ କମ୍‌ ଜମି ରହିଛି। ଏହି ଚାଷୀମାନଙ୍କ ପ୍ରତି ଦେଶର କୌଣସି କର୍ତ୍ତବ୍ୟ ନାହିଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। କୃଷି ସେକ୍ଟରରେ ସଂସ୍କାର ସପକ୍ଷରେ ପ୍ରତି ସରକାର କହୁଥିଲେ, କିନ୍ତୁ ଦଳଗୁଡ଼ିକ ଏବେ ୟୁ-ଟର୍ନ କରିଛନ୍ତି ବୋଲି କଂଗ୍ରେସ ଓ ଏହାର ସହଯୋଗୀ ଶରଦ ପାଓ୍ବାରଙ୍କୁ ଲକ୍ଷ୍ୟ କରି ମୋଦି କହିଥିଲେ। ଆନ୍ଦୋଳନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିବା ଭଲ କଥା। ତେବେ ବିକାଶ ପାଇଁ ସଂସ୍କାର ଜରୁରୀ ଏହା କୃଷକମାନଙ୍କୁ ବୁଝାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭାଷଣରେ ବାସ୍ତବତା ନାହିଁ: କଂଗ୍ରେସ

କୃଷି ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସ ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ କଂଗ୍ରେସ ପ୍ରସ୍ତାବକୁ ଏଡାଇଯାଇଛନ୍ତି ବୋଲି ଖବରଦାତା ସମ୍ମିଳନୀରେ ବରିଷ୍ଠ ଏମ୍‌ପି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ମୋଦିଙ୍କ ଭାଷଣରେ କିଛି ବାସ୍ତବତା ନାହିଁ। ଆମେ ସମସ୍ତେ କ’ଣ ବୋକା କି ବୋଲି ଖାର୍ଗେ ପ୍ରଶ୍ନ କରିଥିଲେ।

Share