Categories: ଜାତୀୟ

ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ବିଜନୌର ଗସ୍ତ ବାତିଲ…

ଲକ୍ଷ୍ନୌ, ୭।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ସୋମବାର ବିଜନୌରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଛି। ଖରାପ ପାଗ ଯୋଗୁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ରାଲିରେ ୧୨ଟା ୩୦ରେ ଲୋକଙ୍କୁ ସମ୍ବୋଧିତ କରି ଏନେଇ କ୍ଷମା ମାଗିଛନ୍ତି। ପାଗ ଭଲ ଥିଲେ ସେ ଫିଜିକାଲ ରାଲିରେ ଯୋଗ ଦେଇଥାନ୍ତେ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ପାଇଁ ୧୫୦୦ ମିଟରର ଭିଜିବିଲିଟି ଆବଶ୍ୟକ ହେଉଥିବାବେଳେ ଦୃଶ୍ୟମାନତା ମାତ୍ର ୮୦୦ ମିଟର ଥିବାରୁ ଗସ୍ତକୁ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଇତିମଧ୍ୟରେ ୩ ଟି ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ଭୋଟରଙ୍କୁ ସେ ଭର୍ଚୁଆଲ ମୋଡରେ ସମ୍ବୋଧିତ କରିଛନ୍ତି। ଏବେ ସେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପାଇଁ ଭୋଟରଙ୍କୁ ସମ୍ବୋଧିତ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ଚତୁର୍ଥ ଜନସଭାରେ ବିଜନୋର, ଆମ୍‌ରୋହା ଏବଂ ମୋରାଦାବାଦ ଆଦି ତିନୋଟି ଜିଲାର ଭୋଟରଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଫେବୃଆରୀ ୧୪ ରେ ୯ଟି ଜିଲାର ୫୫ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

Share