ଫୋନ୍‌ ହ୍ୟାକିଂ ମାମଲା ଜିତିଲେ ପ୍ରିନ୍ସ ହ୍ୟାରି

ଲଣ୍ଡନ,୧୬ା୧୨: ବ୍ରିଟିଶ୍‌ ଟାବଲଏଡ୍‌ ପ୍ରକାଶକ ଡେଲି ମିରର ବିରୋଧରେ ଚାଲିଥିବା ଫୋନ୍‌ ହ୍ୟାକିଂ ମକଦ୍ଦମାରେ ପ୍ରିନ୍ସ ହ୍ୟାରି ବିଜୟୀ ହୋଇଛନ୍ତି। ତାଙ୍କୁ ୧,୪୦,୦୦୦ ପାଉଣ୍ଡ (୧,୮୦,୦୦୦ ଡଲାର) ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିରର ଗ୍ରୁପ୍‌ ନ୍ୟୁଜ୍‌ପେପର୍ସରେ ଅନେକ ବର୍ଷ ହେଲା ଫୋନ୍‌ ହ୍ୟାକିଂ ବହୁଳ ତଥା ଅଭ୍ୟାସଗତ ଭାବେ ଚାଲିଥିବା ହାଇକୋର୍ଟ ବିଚାରପତି ଟିମୋଥି ଫାନ୍‌କୋର୍ଟ କହିଥିଲେ। ଖବରକାଗଜର କାର୍ଯ୍ୟନିର୍ବାହୀମାନେ ଏସବୁ ଜାଣୁଥିଲେ ମଧ୍ୟ ଗୋପନ ରଖୁଥିବା ବିଚାରପତି କହିଛନ୍ତି। ଖବରକାଗଜର ୩୩ଟି ଲେଖା ମଧ୍ୟରୁ ୧୫ଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଲେଖା ପାଇଁ ବେଆଇନ ସୂତ୍ରରୁ ଖବର ସଂଗ୍ରହ କରାଯାଇଥିବା ନେଇ ବିଚାର ଚାଲିଛି। ଉକ୍ତ ମିଡିଆ ରାଜପରିବାରର ବରିଷ୍ଠ ସଦସ୍ୟଙ୍କ ପାରିବାରିକ ବିବାଦ ଉପରେ ଖବର ସଂଗ୍ରହ ଲାଗି ଫୋନ୍‌ ହ୍ୟାକିଂ କରୁଥିବା ଅଭିଯୋଗ ଆଣି ପ୍ରିନ୍ସ ହ୍ୟାରି ଏହା ବିରୋଧରେ ମାମଲା ରୁଜୁ କରିବା ସହ ୪,୪୦,୦୦୦ ପାଉଣ୍ଡ କ୍ଷତିପୂରଣ ଦାବି କରିଥିଲେ।

Share