ପାଟଣାଗଡ଼,୮।୩(ସଚ୍ଚିଦାନନ୍ଦ ମହାକୁର):ବଲାଙ୍ଗୀର ଜିଲା ପାଟଣଗଡ଼ ବ୍ଲକ୍ ଭଇଁଷାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛୁଟି ନ ମିଳିବାରୁ ସ୍କୁଲର ଗଣିତ ଶିକ୍ଷକ ତାଙ୍କ ହାତରେ ସାଲାଇନ ଲଗାଇ ପରିବାରବର୍ଗଙ୍କ ସହ ସ୍କୁଲକୁ ଆସିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଶିକ୍ଷକ ଜଣକ ହେଲେ ବେଲପଡ଼ା ବ୍ଳକ୍ ଧୁମାଭଟା ପଞ୍ଚାୟତ ଜଲିଆ ଗାଁର ପ୍ରକାଶ ଭୋଇ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୨ରେ ଗଣିତ ଶିକ୍ଷକ ପ୍ରକାଶ ବେଲପଡ଼ାରୁ ଭଇଁଷା ଆଦର୍ଶ ବିଦ୍ୟାଳୟକୁ ବଦଳିହୋଇ ଆସିଥିଲେ। ସେ ଉକ୍ତ ବିଦ୍ୟାଳୟରେ ବର୍ତ୍ତମାନ ଗଣିତ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଗତ ଗୁରୁବାର ତାଙ୍କ ଅଜାଙ୍କ ପରଲୋକ ହେବା ଖବର ପାଇ ସେ ସ୍କୁଲ ଷ୍ଟାଫ୍ଙ୍କ ହ୍ବାଟ୍ସଆପ୍ ଗ୍ରୁପ୍ରେ ଛୁଟି ନେବା ପାଇଁ ଲିଖିତ ଭାବରେ ଜଣାଇଥିଲେ। କିନ୍ତୁ ସ୍କୁଲର ପ୍ରିନ୍ସିପାଲ ତାଙ୍କୁ ଛୁଟି ଦେଇ ନ ଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ପ୍ରକାଶ ଗୁରୁବାର ସ୍କୁଲକୁ ଆସିଥିଲେ। ସ୍କୁଲରୁ ଛୁଟି ହେବା ପରେ ତାଙ୍କ ଜଲିଆ ସ୍ଥିତ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଘରୁ ସାଲାଇନ ଲଗାଇ ପରିବାର ଲୋକଙ୍କ ସହ କାର୍ ଯୋଗେ ସ୍କୁଲକୁ ଆସିଥିଲେ। କିନ୍ତୁ ଦେହ ଅଧିକ ବିଗିଡ଼ିଯିବାରୁ ସ୍କୁଲରୁ ସେ ଭଇଁଷା ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ସେ ପୁଣି ସ୍କୁଲକୁ ଆସିଥିଲେ। ଏହି ଘଟଣା ସାଧାରଣରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଅପରପକ୍ଷରେ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶଙ୍କୁ ପଚାରିବାରେ ଛୁଟି ନ ମିଳିବାରୁ ସେ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଥିବା କହିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ପଚାରିବାରେ ଶିକ୍ଷକ ଜଣକ ଛୁଟି ମାଗି ନ ଥିବା କହିଥିଲେ। ସ୍କୁଲକୁ ଯଦି ଜଣେ ସାଲାଇନ ଲଗାଇ ଆସିଲେ ତେବେ କ’ଣ କରାଯିବ ବୋଲି ପାଲଟା ପ୍ରଶ୍ନ କରିଥିଲେ। ଅପରପକ୍ଷରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କୁ ପଚାରିବାରେ ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିଲା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମାଝି କହିଛନ୍ତି।