ଷ୍ଟାଇପେଣ୍ଡ ଟଙ୍କା ଖାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସିମୁଳିଆ, ୯।୧୦(ସନ୍ତୋଷ ନାୟକ): ୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତାକୁ ନେଇ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଡୁଳି ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ମଳିକଙ୍କୁ ସିମୁଳିଆ ବିଇଓ ପ୍ରକାଶ ଚନ୍ଦ୍ର ମହାଳିକ ପତ୍ର ସଂଖ୍ୟା ୨୧୦୭ ମୂଳେ ମଙ୍ଗଳବାର ନିଲମ୍ବିତ କରିଛନ୍ତି।
୨୦୨୧-୨୨ ଶିକ୍ଷା ବର୍ଷରେ ୬୨ଜଣ ହରିଜନ ଓ ଆଦିବାସୀ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ବାବଦରେ ଆସିଥିବା ୧୩ହଜାର ୯୮୦ଟଙ୍କା ହଡପ ହେବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି କମିଟିର ସଭାପତି ଓ ଅନ୍ୟମାନଙ୍କ ଦସ୍ତଖତ ଜାଲ କରାଯିବା ସହିତ ମୋ ସ୍କୁଲ ଅର୍ଥ, କମ୍ପୋଜିଟ୍‌ ଅର୍ଥ ଆଦି ବିଭିନ୍ନ ଅନୁଦାନ ହେରଫେର କରାଯାଇଥିବା ଶିକ୍ଷା କମିଟି, ଗ୍ରାମବାସୀ ଓ ଅଭିଭାବକମାନେ ଅଭିଯୋଗ କରିଥିଲେ। ପରେ ଶିକ୍ଷକ ମୂରଲୀଧରଙ୍କୁ ଗତ ୧୧ା୦୭ା୨୩ରେ ଡେପୁଟେଶନରେ ବାଲିକଣା ପ୍ରାଥମିକ ବିଦ୍ୟାଳୟକୁ ପଠାଇ ଦିଆଯାଇଥିଲା ା ପୁନଶ୍ଚ ଉକ୍ତ ଶିକ୍ଷକ ବାଡୁଳି ବିଦ୍ୟାଳୟକୁ ଆସିବା ପାଇଁ ଜିଦ୍‌ କରିଥିଲେ। ଶିକ୍ଷକ ମୂରଲୀଧର ଏହି ବିଦ୍ୟାଳୟକୁ ଆସିଲେ ଶିକ୍ଷା କମିଟି ଓ ଗ୍ରାମବାସୀ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ। ଗତ ୨୦ା୯ା୨୪ରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ବିଧାୟକ ଓ ଏମ୍‌ପି ଉକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୫ା୯ା୨୪ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ପ୍ରକାଶ ଚନ୍ଦ୍ର ମଲିକଙ୍କ ନିର୍ଦ୍ଦେଶରେ ଏବିଇଓ ଅଜୟ କୁମାର ପଣ୍ଡା ଓ ବିଦ୍ୟାଧର ମହାଳିକ ଏହି ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ।
ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବାରିକଙ୍କୁ ବିଇଓଙ୍କ ପତ୍ର ସଂଖ୍ୟା ୨୦୯୪ ଅନୁଯାୟୀ ଦଶଭୁଜା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତର ଓ କବୀରପୁର ନୋଡାଲ ୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ବିଶ୍ୱାଳଙ୍କୁ ପତ୍ରସଂଖ୍ୟା ୨୧୦୦ରେ ବାଡୁଳି ଖଜୁରେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତ କରାଯାଇଥିବା ବିଇଓ ସୂଚନା ଦେଇଛନ୍ତି। ଗତ ୨୦ା୯ା୨୪ରେ ‘ଧରିତ୍ରୀ’ରେ ‘୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡ଼ପ’ ଓ ଗତ ୨୬ା୯ା୨୪ରେ ‘ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ତଦନ୍ତ କଲେ ଏବିଇଓ’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା।

Share