Categories: ଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଆକ୍ରମଣ ପଣ୍ଡ

ଜମ୍ମୁ,୨୩।୪ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବେଆଇନ ଘୋଷିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଆତ୍ମଘାତୀ ବିସ୍ଫୋରଣ ଉଦ୍ୟମକୁ ସୁରକ୍ଷା ବଳ ପଣ୍ଡ କରିଦେଇଛି। ୫ ଘଣ୍ଟାର ଏନ୍‌କାଉଣ୍ଟରରେ ୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସିଆଇଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଦୁଇ ଆତଙ୍କବାଦୀ ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଗୁରୁବାର ଜମ୍ମୁ ସହର ଉପକଣ୍ଠରେ ପ୍ରବେଶ କରିଥିଲେ। ସେମାନେ ନିହତ ହେବା ଫଳରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଯୋଜନାକୁ ପଣ୍ଡ କରାଯାଇପାରିଥିବା ଅତିରିକ୍ତ ପୋଲିସ ଡିଜି ମୁକେଶ ସିଂ କହିଛନ୍ତି। ସେମାନଙ୍କ ନିକଟରୁ ସୁଇସାଇଡ୍‌ ଭେଷ୍ଟସ୍‌ ମିଳିଛି। ସୁଞ୍ଜଓ୍ବାନା ସେନା କ୍ୟାମ୍ପ୍‌ ସେମାନଙ୍କ ଟାର୍ଗେଟରେ ଥିଲା ବୋଲି କୁହାଯାଉଛି। ଭୋର ୪ଟା ୨୫ ସମୟରେ ଆତଙ୍କବାଦୀମାନେ ସେନା କ୍ୟାମ୍ପ୍‌ ନିକଟକୁ ଯାଉଥିବାବେଳେ ସିଆଇଏସ୍‌ଏଫ୍‌ର ଏକ ବସ୍‌ ୧୫ ଯବାନଙ୍କୁ ନେଇ ଜମ୍ମୁ ବିମାନବନ୍ଦର ଅଭିମୁଖେ ଯାଉଥିଲା। ଆତଙ୍କବାଦୀମାନେ ଉକ୍ତ ବସ୍‌କୁ ଲକ୍ଷ୍ୟ କରି ଗ୍ରେନେଡ ମାଡ଼ କରିବା ସହ ଖସି ପଳାଇବା ପାଇଁ ଗୁଳିବର୍ଷଣ କରିଥିଲେ। ସଙ୍ଗେ ସଙ୍ଗେ ସୁରକ୍ଷା ଯବାନ ଚାରିପଟୁ ଘେରିଯାଇ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଏଏସ୍‌ଆଇ ଏସ୍‌.ପି. ପଟେଲ ଶହୀଦ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ପ୍ରଧାନମନ୍ତ୍ରୀ ସାମ୍ବା ଗସ୍ତରେ ଯାଉଥିବାରୁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Share