ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ନିବେଶ ଜରୁରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪ା୧୨: ଓମିକ୍ରନ ଭାରିଆଣ୍ଟ ଯୋଗୁ କରୋନାଜନିତ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବ। ବିଶ୍ୱବ୍ୟାପୀ ଏହି ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପାରେ ଏବଂ ଏଥିଯୋଗୁ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଓମିକ୍ରନ୍‌ରେ ସଂକ୍ରମଣ ଯୋଗୁ ଆକ୍ରାନ୍ତଙ୍କ ଶରୀର କିପରି ପ୍ରଭାବିତ ହେଉଛି ତାହାର ଏକ ସ୍ପଷ୍ଟ ଛବି ପାଇବା ନିମନ୍ତେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ଏଥିପାଇଁ ଦେଶଗୁଡ଼ିକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ତଥ୍ୟ ଡବ୍ଲ୍ୟୁଏଚ୍‌ଓ କୋଭିଡ୍‌-୧୯ କ୍ଲିନିକାଲ ଡାଟା ପ୍ଲାଟଫର୍ମରେ ଅପ୍‌ଲୋଡ କରନ୍ତୁ ବୋଲି ଏହି ବିବୃତିରେ କୁହାଯାଇଛି। ଏହାବାଦ୍‌ ପ୍ରାଥମିକ ସ୍ବାସ୍ଥ୍ୟ ସେବାକୁ ମଜଭୁତ କରିବା ପାଇଁ ପ୍ରତ୍ୟେକ ଦେଶ ଏ ଦିଗରେ ଅଧିକ ଅର୍ଥ ବିନିଯୋଗ କରନ୍ତୁ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ବିଶେଷ କରି ଦକ୍ଷିଣ-ପୂର୍ବାଞ୍ଚଳ ଦେଶଗୁଡ଼ିକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେବା ଜରୁରୀ। ମହାମାରୀ ମୁକାବିଲାରେ ତାହା ବିଶେଷ ସହାୟକ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ-ପୂର୍ବ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ କ୍ଷେତ୍ରପାଳ ସିଂ ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି।

Share