‘ଶିଳ୍ପବିହୀନ ଜିଲାକୁ ଦିଆଯିବ ପ୍ରାଥମିକତା’

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ବେଳେ ଶିଳ୍ପବିହୀନ ଜିଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି କହିଛନ୍ତି। ସମ୍ପ୍ରତି କଳାହାଣ୍ଡି ଜିଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ ୱେର ଉଭୟ ପାର୍ଶ୍ୱରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି। ଏଥି ସହିତ ବିଦ୍ୟୁତ୍‌, ଜଳ ଓ ସଡ଼କ ପ୍ରଭୃତି ସୁବିଧା ଥିବା ଦୃଷ୍ଟିରୁ ନୂତନ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଏକ ଅନୁକୂଳ ବାତାବରଣ ରହିଥିବା ମନ୍ତ୍ରୀ କହିିଛନ୍ତି। ପ୍ରତି ଜିଲାରେ ଗୋଟିଏ ଲେଖାଏ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏହି ଭର୍ଚୁଆଲ ବୈଠକରେ ଝାରସୁଗୁଡ଼ାଠାରେ ବେଦାନ୍ତ ଦ୍ୱାରା କରାଯାଉଥିବା ଆଲୁମିନିୟମ୍‌ ପାର୍କ, ଅନୁଗୋଳର ଆଲୁମିନିୟମ୍‌ ପାର୍କ, ଭଦ୍ରକର ଟେକ୍ସଟାଇଲ୍‌ କ୍ଲଷ୍ଟର, ପାରାଦୀପର ପ୍ଲାଷ୍ଟିକ୍‌ ପାର୍କ, ଡେରାସଠାରେ ନିର୍ମାଣାଧୀନ ସି-ଫୁଡ୍‌ ପାର୍କ ଏବଂ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଗଢ଼ି ଉଠୁଥିବା ଓଡ଼ିଶା ଅର୍ଥନୈତିକ କରିଡର ଉପରେ ଆଲୋଚନା କରାଯାଇଥିଲା। ଯେଉଁସବୁ ଶିଳ୍ପପୁଞ୍ଜ ଚିହ୍ନଟ ହୋଇଛି ସେଗୁଡ଼ିକରେ ବିଜୁଳି, ପାଣି, ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଦିଗରେ ଇଡ୍‌କୋ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଫଳରେ ଯେ କୌଣସି ସମୟରେ ଆଗ୍ରହୀ ଶିଳ୍ପସଂସ୍ଥାକୁ ସେ ସବୁକୁ ପ୍ରଦର୍ଶିତ କରାଗଲେ ସେମାନେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବେ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ବାୟୋ-ଇଥାନଲ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଖୁବ୍‌ଶୀଘ୍ର ପ୍ରସ୍ତାବ ଦିଆଯିବ ବୋଲି ସଚିବ ପ୍ରକାଶ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ୫-ଟି ଓ ମୋ ସରକାର ଅଧୀନକୁ ଆଣି କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ କୁହାଯାଇଥିଲା। ବୈଠକରେ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ସିଜିଏମ୍‌, ପି ଆଣ୍ଡ ଏ, ଗଣେଶ୍ୱର ଜେନାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ।

Share