ଏପ୍ରିଲରୁ ‘କାରାଗାର ଅଦାଲତ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ଓଡିଶାରେ ଆରମ୍ଭ ହେବ କାରାଗାର ଅଦାଲତ। କୋର୍ଟରେ ଅନେକ କେସ୍‌ ବିଚାରଧୀନ ଅବସ୍ଥାରେ ପଡ଼ିରହିଛି। ଏଥିମଧ୍ୟରୁ ଅଧିକାଂଶ ଛୋଟ ମାମଲା ରହିଛି, ଯାହାର ସମାଧାନ ଖୁବ୍‌ କମ୍‌ ସମୟରେ ହୋଇପାରିବ। ହେଲେ କୌଣସି କାରଣରୁ ଏହି ମାମଲାଗୁଡ଼ିକର ସମାଧାନ ହୋଇପାରୁନାହିଁ। ଯେଉଁଥିପାଇଁ ଜେଲ୍‌ରେ ଦୋଷୀ ସାବ୍ୟସ୍ତଙ୍କଠାରୁ ଅଧିକାଂଶ ବିଚାରଧୀନ କଏଦୀ ରହୁଛନ୍ତି। ଏହି ସମସ୍ୟାର ସମାଧାନ କରିବା ପାଇଁ ଜେଲ୍‌ ନିର୍ଦ୍ଦେଶାଳୟ ନୂଆ ବ୍ୟବସ୍ଥା ଆପଣାଇଛି। ଏଣିକି ଜେଲ୍‌ ପରିସରରେ ଏପ୍ରିଲରୁ ‘ଜେଲ୍‌ ଅଦାଲତ’ ବସାଇବାକୁ ନିଷ୍ପତି ନିଆଯାଇଛି।
ଏନେଇ ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ସହ ସଂଯୋଜନା ରଖାଯାଇ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଯେଉଁ କେସ୍‌ର ଦଣ୍ଡ ୧ ବର୍ଷରୁ ୨ବର୍ଷ ମଧ୍ୟରେ ହୋଇଥିବ, ସେହି କେସ୍‌ଗୁଡ଼ିକ ଜେଲ୍‌ରେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଜେଲ୍‌ ଅଦାଲତ ଅଭିଯୁକ୍ତମାନଙ୍କୁ ପ୍ଲି-ବାର୍‌ଗେନିଂ କରିବାର ସୁଯୋଗ ଦେବ। ପ୍ଲି-ବାର୍‌ଗେନିଂ ହେଉଛି ସରକାରୀ ଓକିଲ ଏବଂ ଅଭିଯୁକ୍ତ ମଧ୍ୟରେ ଏକ ବୁଝାମଣା। ଯେଉଁଥିରେ କମ୍‌ ଦଣ୍ଡ ପାଇବା ସର୍ତ୍ତରେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥାନ୍ତି। ଫଳରେ ଜଜ୍‌ ଛୋଟ ମାମଲାରେ ଅଭିଯୁକ୍ତଙ୍କୁ କମ୍‌ ଦଣ୍ଡ ସହ ଜରିମାନା ଶୁଣାଇଥାନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଜାମିନ ପାଉ ନ ଥିବା କଏଦୀମାନେ ମଧ୍ୟ ଉପକୃତ ହେବେ। ଜାମିନ ସର୍ତ୍ତ ପାଳନ ନ କରିପାରିବା ଏବଂ ଜାମିନଦାର ନ ଥିବାରୁ ପ୍ରାୟ ୩୮୧ କଏଦୀ ବର୍ତ୍ତମାନ ବିଭିନ୍ନ ଜେଲରେ ରହିଛନ୍ତି। ସେମାନଙ୍କର ବିବରଣୀ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ପଠାଯାଇଛି ବୋଲି ଜେଲ୍‌ ଡିଜି କହିଛନ୍ତି।

Share