ଚୌଦ୍ୱାର ଜେଲରେ ଆତ୍ମହତ୍ୟା କଲେ କଏଦୀ

ଚୌଦ୍ୱାର,୧୮। (ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରେ ସୋମବାର ବିଳମ୍ବିତ ରାତିରେ ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଲେଶ୍ୱର ଜିଲା କର୍ମଦା ଥାନା ଅନ୍ତର୍ଗତ କୁଲିହା ଗ୍ରାମର ସୁବଳ ଚନ୍ଦ୍ର ବାନଙ୍କ ପୁଅ ବିଜେନ୍ଦ୍ର ବାନ(୨୧)।
ସୂଚନାମୁତାବକ, ବିଜେନ୍ଦ୍ର ଗତ ୧୬ତାରିଖରେ ଏନ୍‌ଡିପିଏସ୍‌ କେଶରେ ବିଚାରଧୀନ ଆସାମୀ ଭାବେ ଚୌଦ୍ୱାର ମଣ୍ଡଳ କାରଗାରରେ ରହିଥିଲା । ବର୍ତ୍ତମାନ କରୋନା ନିୟମାନୁଯାୟୀ ତାଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଥିଲା। ମଙ୍ଗଳବାର ଭୋରରୁ ବିଜେନ୍ଦ୍ର ନିଜ ଗାମୁଛା ବେକରେ ବନ୍ଧି ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଜେଲ ଅଧିକ୍ଷକ ଶୁଭକାନ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବିଜେନ୍ଦ୍ରଙ୍କୁ କଟକ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଜେଲ କର୍ତ୍ତୃପକ୍ଷ ଚୌଦ୍ୱାର ଥାନାକୁ ଅବଗତ କରାଇବା ସହ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।

Share