Categories: ଜାତୀୟ

ଜେଲରେ କଏଦୀଙ୍କ ଆତ୍ମହତ୍ୟା: ପେଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ, ୧୬।୧୦: ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ଜଣେ କଏଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି ମନସୁରୀ। ପୋଷ୍ଟମର୍ଟମ ସମୟରେ ଡାକ୍ତର ତାଙ୍କ ପେଟରୁ ଏକ ସୁସାଇଡ୍‌ ନୋଟ୍‌ ଜବତ କରିଛନ୍ତି। ଉକ୍ତ ସୁଇସାଇଡ୍‌ ନୋଟରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି ପୋଷ୍ଟମର୍ଟମ ରିପୋର୍ଟ ଏକ ପ୍ଲାଷ୍ଟିକରେ ଆବୃତ ଥିଲା।
ଏ ନେଇ ନାଶିକ ପୋଲିସ ଷ୍ଟେଶନର ଜଣେ ଅଧିକାରୀ କହିଛନ୍ତି, ମନସୁରୀଙ୍କୁ ଏକ ହତ୍ୟା ମାମଲାରେ ଦଣ୍ଡିତ କରାଯାଇଥିଲା। ତେବେ ଅକ୍ଟୋବର ୭ରେ ତାଙ୍କୁ ଜେଲ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆହୁରି ମଧ୍ୟ ସେ କହିଛନ୍ତି, ମନସୁରୀ ଲେଖି କିମ୍ବା ପଢ଼ି ପାରୁ ନ ଥିଲେ। ତେଣୁ ଉକ୍ତ ସୁଇସାଇଡ୍‌ ନୋଟ୍‌ ଲେଖିବାରେ ତାଙ୍କୁ କେହି ସାହାଯ୍ୟ କରିଥିବେ। ସେହିପରି ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଥିବା ଅଭିଯୋଗକୁ ଅଧିକାରୀମାନେ ଅସ୍ବିକାର କରିଛନ୍ତି। ମାନସୁରୀଙ୍କ ମୃତ୍ୟୁ ପରେ ଅନ୍ୟ କଏଦୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ସୁଇସାଇଡ୍‌ ନୋଟ୍‌ରେ ନାମିତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Share