ମ.ରାମପୁର/ରୁପ୍ରାରୋଡ,୧୭।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍ଜେଲରୁ ଜଣେ ବିଚାରାଧୀନ କଏଦୀ ନର୍ଲା ଥାନା ରୁପ୍ରାରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝି ଗତ ୧୧ ତାରିଖରୁ ଫେରାର ହୋଇଥିଲେ। ଶୁକ୍ରବାର ଫେରାର ବିଚାରାଧୀନ କଏଦୀ ବିଶାମିତ୍ରଙ୍କୁ ନର୍ଲା ପୋଲିସ ଗିରଫ କରିଛି। ଏକ ଘରୋଇ ଗଣ୍ଡଗୋଳ କେସ୍ରେ ନର୍ଲା ପୋଲିସ ବିଶାମିତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ନିର୍ଯାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ଅଭିଯୁକ୍ତଙ୍କ ଜାମିନ ଆବେଦନ କରି ନ ଥିଲେ। ଫଳରେ ସେ ଗତ ଡିସେମ୍ବରରୁ ମ. ରାମପୁର ସବ୍ଜେଲରେ ରହୁଥିଲେ। ଫେରାର ହେବାଠାରୁ ନର୍ଲା ପୋଲିସ ଖୋଜାଖୋଜି ଜାରି ରହିଥିଲା। କୌଣସି ସୂତ୍ରରୁ ଖବର ପାଇ ନର୍ଲା ଥାନା ଅଧିକାରୀ ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ଏକ ଟିମ ସକାଳୁ ଚିଆଁପଦର ଗ୍ରାମରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି।