ଜେଲରେ ଜୀବନ ହାରିଲେ କଏଦୀ

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କାରାଗାରରେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି।କେନ୍ଦୁଝର ଜିଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଜୟ ଦାସ(୨୫)। ତାଙ୍କ ଘର ସଦର ଥାନା ଅଧୀନ କାଠବାରି ପଞ୍ଚାୟତ ବୋଧବାହାଳି ଗ୍ରାମରେ ବୋଲି ଜଣାପଡିଛି। ଅଜୟ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେଲା କେନ୍ଦୁଝର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ।
ଶୁକ୍ରବାର ଅପରାହ୍ନରେ ଅଜୟ ଜେଲ ପରିସର ପାଇଖାନା ଟାଙ୍କିରେ ସଂଯୋଗ ଥିବା ଏକ ପାଇପ୍‌ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ଉପସ୍ଥିତ ଜେଲ ୱାର୍ଡର ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଜେଲରେ ସୁରକ୍ଷାରେ ଅବହେଳା ଯୋଗୁ ଏହି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜେଲ ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ପରିବାର ଲୋକେ କହିଛନ୍ତି। ଏନେଇ ଜେଲ ଅଧୀକ୍ଷକ କୁଅଁର ମାରାଣ୍ଡିଙ୍କୁ ପଚାରିବାରୁ ଅଜୟଙ୍କ ମାନସିକ ଅବସ୍ଥା ଭଲ ଥିଲା। ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି।

Share