ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଗୁରୁତର

ଝାରସୁଗୁଡ଼ା ଅଫିସ,୮ା୮: ଝାରସୁଗୁଡ଼ା ଉପକାରାଗାରରେ ବିଚାରାଧୀନ କଏଦୀ ସୁରଜ କର(୨୫) ଗଳା ଓ ହାତକାଟି ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଏହା ଜଣାପଡିବା ପରେ ଉପକାରାଗାର କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗଳାରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବୁର୍ଲା ଭିମ୍‌ସାର୍‌କୁ ପଠାଇ ଦିଆଯାଇଛି ବୋଲି କଏଦୀଙ୍କୁ ଚିକତ୍ସା କରୁଥିବା ଡାକ୍ତର ଏସ୍‌ ସେଠ କହିଛନ୍ତି। ଏପରିକି ଭିମ୍‌ସାରରେ ତାଙ୍କର ଚିକିତ୍ସା ଜାରି ରହିଛି ବୋଲି ଉପକାରାଗାର ଏସ୍‌ପି ଲକ୍ଷ୍ମୀକାନ୍ତ ଧାଙ୍ଗଡା ମାଝି କହିଛନ୍ତି। ସେ ଆହୁରି କହିଛନ୍ତି, କଏଦୀ ସୁରଜ ନିଶାଖୋର ହୋଇଥିବାବେଳେ ଜେଲ୍‌ ଭିତରେ ଏଭଳି କାଣ୍ଡ ଘଟାଇଛନ୍ତି।

ସୂଚନାଯୋଗ୍ୟ, ସୁରଜ ଗତ ୨୮ତାରିଖରେ ବ୍ରଜରାଜନଗର ଥାନା ଲମଟିବାହାଲର ଏକ କପଡା ଦୋକାନରେ ଛୁରି ଦେଖାଇ ମାଲିକଙ୍କ ନିକଟରୁ ଟଙ୍କା ଲୁଟ୍‌ କରିଥିଲେ। ଏ ନେଇ ଦୋକାନ ମାଲିକ ଆର୍‌ ଆନନ୍ଦ ରାଓଙ୍କ ଅଭିଯୋଗକୁ ଭିତ୍ତିିକରି ପୋଲିସ୍‌ ଏକ ମାମଲା (ନଂ୨୩୩/୧୧) ରୁଜୁକରି ସୁରଜଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା ବୋଲି ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ବାଇଁ କହିଛନ୍ତି।