Categories: Uncategorized

ଦ୍ୱିତୀୟ ଦିନରେ କାରାଗାର କର୍ମଚାରୀଙ୍କ ଅନଶନ

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା, ଖାଦ୍ୟ ଭତ୍ତା ୪୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ଏବଂ ୧୩ ମାସିଆ ଦରମା ବୃଦ୍ଧି ଆଦି ୫ଦଫା ଦାବି ନେଇ ବ୍ରହ୍ମପୁର ମଣ୍ଡଳ କାରାଗାରର କାରାରକ୍ଷୀମାନେ ଗତ ୨୫ତାରିଖ ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି। ମଙ୍ଗଳବାର ଅନଶନର ଦ୍ୱିତୀୟ ଦିନରେ ଶଶାଙ୍କ ଶେଖର ବେହେରା ନାମକ ଜଣେ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଜଣାପଡିଛି। ଦାବି ପୂରଣ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କାରାଗାର କର୍ମଚାରୀମାନେ କହିଛନ୍ତି। ୫ଦଫା ଦାବିକୁ ନେଇ ସଂଘ ବାରମ୍ବାର ଆନ୍ଦୋଳନ କରିଛି। କିନ୍ତୁ ସରକାର ସବୁ ବେଳେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ଗତ ୧୩ତାରିଖରୁ ରାଜ୍ୟର ସମସ୍ତ କର୍ମଚାରୀ କଳାବ୍ୟାଜ ପରିଧାନ କରୁଥିଲେ। ଏବେ ସରକାର ଅଣଦେଖା କରିବା ପରେ ବର୍ତ୍ତମାନ ଆମରଣ ଅନଶନ କରାଯାଉଥିବା ସେମାନେ କହିଛନ୍ତି।