Categories: ଖେଳ

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୨ ଦିନିଆ ରିମାଣ୍ଡରେ ସପ୍‌ନା

ମୁମ୍ବାଇ,୧୯।୨: ସେଲ୍‌ଫି ଉଠାଇବାକୁ କେନ୍ଦ୍ରକରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲାରେ ଶନିବାର ପୋଲିସ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ସପନା ଗିଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ପଠାଯାଇଛି। ସେଲ୍‌ଫି ନେବାକୁ କେନ୍ଦ୍ରକରି ଶୋଭିତ ଠାକୁର ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପନା ଗିଲ୍‌ ଅନ୍ୟମାନଙ୍କ ସହିତ ମିଶି ପୃଥ୍ବୀଙ୍କୁ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ଗୁରୁବାର ସନ୍ଧ୍ୟାରେ ସପନାଙ୍କୁ ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଟକ ରଖାଯାଇ ପରେ ଗିରଫ କରାଯାଇଥିଲା। ମାମଲାରେ ସମ୍ପୃକ୍ତ ଅନ୍ୟ ୪ ଜଣ ଫେରାର ଅଛନ୍ତି। ଉଲ୍ଲେଖଯୋଗ୍ୟ, ଗୁରୁବାର ମୁମ୍ବାଇ ବିମାନବନ୍ଦରର ଏକ ବିଳାସପୂର୍ଣ୍ଣ ହୋଟେଲରେ ପୃଥ୍ବୀ ରହିଥିବାବେଳେ ଶୋଭିତ୍‌ ଠାକୁର ଏବଂ ସପନା ଗିଲ୍‌ ସେଲ୍‌ଫି ପାଇଁ ନିକଟକୁ ଆସିଥିଲେ। ସେଲ୍‌ଫି ନେବା ପରେ ମଧ୍ୟ ଉଭୟ ପୃଥ୍ବୀଙ୍କୁ ଛାଡ଼ି ନ ଥିଲେ। ହୋଟେଲ କର୍ମଚାରୀଙ୍କ ନିକଟରେ ଅଭିଯୋଗ ପରେ ଉଭୟଙ୍କୁ ବାହାର କରାଯାଇଥିଲା। ପୃଥ୍ବୀ ହୋଟେଲରୁ ବାହାରିବା ପରେ ଉଭୟ ଅନ୍ୟମାନଙ୍କ ସହିତ ମିଶି ତାଙ୍କ ଗାଡ଼ିକୁ ପିଛା କରିଥିଲେ। ପରେ ଏକ ବେସ୍‌ବଲ ବ୍ୟାଟ୍‌ରେ ଆକ୍ରମଣ କରିବା ସହିତ ଗାଡ଼ିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ପୃଥ୍ବୀଙ୍କ ସାଙ୍ଗ ଆଶିଷ ଯାଦବ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ। ସପନା ଓ ଶୋଭିତ୍‌ ଅଭିଯୋଗକୁ ଖଣ୍ଡନ କରିବା ସହିତ ପୃଥ୍ବୀ ଶ’ ନିଶାରେ ଥିଲେ ବୋଲି କହିଛନ୍ତି।

Share