ନୂଆଦିଲ୍ଲୀ,୮।୨: ଦୀର୍ଘଦିନର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି ଟୁର୍ନାମେଣ୍ଟ। ଦୁଇଟି ପର୍ଯ୍ୟାୟରେ ବିସିସିଆଇ ଏହାକୁ ଆୟୋଜିତ କରିବ। ସମସ୍ତ ରାଜ୍ୟ ପକ୍ଷରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ’ଙ୍କୁ ବଡ଼ ସଫଳତା ମିଳିଛି। ଆଇପିଏଲ୍ ମେଗା ଅକ୍ସନ ପୂର୍ବରୁ ସେ ଏକ ଦଳର ଅଧିନାୟକ ପାଲଟିଛନ୍ତି। ମୁମ୍ବାଇ ରଣଜୀ ଟିମ୍ର ଅଧିନାୟକ ଭାବେ ତାଙ୍କୁ ଦାୟିତ୍ୱ ମିଳିଛି।
ମୁମ୍ବାଇକୁ ଗ୍ରୁପ୍ ଡି’ରେ ସୌରାଷ୍ଟ୍ର, ଗୋଆ ଏବଂ ଓଡ଼ିଶା ସହ ରଖାଯାଇଛି। ଅହମ୍ମଦାବାଦରେ ଟିମ୍ ଲିଗ୍ ମୁକାବିଲା ଖେଳିବ। ପୃଥ୍ବୀ ୨୧ ସଦସୀୟ ମୁମ୍ବାଇ ଟିମ୍ର ଅଧିନାୟକ ହେବେ। ଏହାଛଡ଼ା ଦଳରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର, ଉଇକେଟକିପର ଆଦିତ୍ୟ ତାରେ, ଦ୍ରୁତ ବୋଲର ଧବଲ କୁଲକର୍ନୀ, ଅଜିଙ୍କ୍ୟ ରାହାନେଙ୍କୁ ସ୍ଥାନ ମିଳିଛି। ଫଳରେ ପୃଥ୍ବୀଙ୍କ ଅଧୀନରେ ଖରାପ ଫର୍ମ ଦେଇ ଗତି କରୁଥିବା ରାହାନେଙ୍କ ଖେଳିବା ସ୍ପଷ୍ଟ ହୋଇଛି।