ନୂଆଦିଲ୍ଲୀ,୨୭।୨: ପୁଣି ଥରେ ଫର୍ମକୁ ଫେରିଛନ୍ତି ପୃଥ୍ବୀ ଶ’। ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ତାଙ୍କର ଖରାପ ଫିଟନେସ ଯୋଗୁ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରୁ ବାହାର ହୋଇଯାଇଥିଲେ। କିନ୍ତୁ ଏବେ ଏହି ଖେଳାଳି ଫେରି ନିଜ ବ୍ୟାଟିଂର ଦମ୍ ଦେଖାଇଛନ୍ତି। ପୃଥ୍ବୀ ଶ’ ବର୍ତ୍ତମାନ ଡିୱାଇ ପାଟିଲ ଟି-୨୦ ଲିଗରେ ଖେଳୁଛନ୍ତି, ଯେଉଁଠାରେ ଏହି ଖେଳାଳି ଦୁଇଟି ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ମାରିଛନ୍ତି। ସେ ରୁଟ ମୋବାଇଲ ଟିମ୍ ପାଇଁ ଖେଳୁଥିବା ବେଳେ ୨ ମ୍ୟାଚ୍ରେ ୧୨୮ ରନ କରିଛନ୍ତି। ଶ’ଙ୍କ ଷ୍ଟ୍ରାଇକ ରେଟ ୨୦୦ ରୁ ଅଧିକ ଥିବା ବେଳେ ସେ ଏହି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ୨ଟି ଛକା ଏବଂ ୨୫ଟି ଚୌକା ମାରିସାରିଛନ୍ତି।
ପୃଥ୍ବୀ ଶ’ ଡି ଓ୍ବାଇ ପାଟିଲ ଟି୨୦ ଲିଗ୍ରେ ସର୍ବପ୍ରଥମେ ଟାଟା ଟିମ୍ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ପୃଥ୍ବୀଙ୍କ ଦଳକୁ ୨୦୮ ରନର ଏକ ବିଶାଳ ଟାର୍ଗେଟ ମିଳିଥିଲା, ଯାହାକୁ ହାସଲ କରିବାରେ ସେମାନଙ୍କୁ କୌଣସି ଅସୁବିଧା ହୋଇନଥିଲା। ପୃଥ୍ବୀ ଅଧିନାୟକତ୍ୱର ଇନିଂସ ଖେଳି ୩୬ ବଲ୍ରେ ୬୩ ରନ୍ କରିଥିଲେ। ଏହି ଖେଳାଳିଙ୍କ ବ୍ୟାଟରୁ ୧୨ ଚୌକା ଆସିଥିଲା। ପୃଥ୍ବୀଙ୍କ ବ୍ୟତୀତ ଅଥର୍ବ କାଲେ ଅପରାଜିତ ୯୪ ରନ କରିଥିଲେ। କାଲେ ୧୪ ଚୌକା ଏବଂ ୨ ଛକା ମାରିଥିଲେ।
ପୃଥ୍ବୀ ଶ’ ମଧ୍ୟ ଟେକ ସ୍ପୋଟର୍ସ ଦଳ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥର ସେ ୨୫ ବଲ୍ରେ ଅପରାଜିତ ୬୫ ରନ୍ କରିଥିଲେ। ଶ’ ୧୩ ଚୌକା ଏବଂ ୨ ଛକା ମାରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ ରେଟ୍ ୨୬୦ରୁ ଅଧିକ ଥିଲା। ମାତ୍ର ୨୭ ମିନିଟ ବ୍ୟାଟିଂ କରି ସେ ଚୌକା ଏବଂ ଛକା ମାଧ୍ୟମରେ ୬୫ ରନ ମଧ୍ୟରୁ ୬୪ ରନ କରିଥିଲେ। ଏହା ସ୍ପଷ୍ଟ ଯେ ପୃଥ୍ବୀ ଶ’ଙ୍କୁ ଏକ ଭିନ୍ନ ଫର୍ମରେ ଦେଖାଯାଉଛି। ବର୍ତ୍ତମାନ ସମୟରେ ସେ ତାଙ୍କ ଫିଟନେସ ଉପରେ ବହୁତ କାମ କରିଛନ୍ତି। ତାଙ୍କର ଓଜନ ବହୁତ ହ୍ରାସ ପାଇଛି। ବର୍ତ୍ତମାନ ଶ’ କୌଣସି IPL ୨୦୨୫ ଦଳରେ ସ୍ଥାନ ପାଇନାହାନ୍ତି କିନ୍ତୁ ଟୁର୍ନାମେଣ୍ଟ ମଝିରେ ତାଙ୍କୁ ବଦଳ ଖେଳାଳି ଭାବରେ ସୁଯୋଗ ମିଳିପାରେ। ଶ’ ନିରନ୍ତର ଭଲ ଇନିଂସ ଖେଳି ଦଳରେ ସାମିଲ ହେବାର ସୁଯୋଗକୁ ଅନାଇ ବସିଛନ୍ତି।