Categories: ଖେଳ

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ ତାଙ୍କୁ ସାଥୀ ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ଟିମ୍‌ରୁ ବାଦ୍‌ ପଡ଼ିଥିବା ପୃଥ୍ବୀ ଏବେ ସୟଦ ମୁସ୍ତାକ ଅଲି ଟ୍ରଫି ଟୁର୍ନାମେଣ୍ଟ ଖେଳୁଛନ୍ତି। ସେ ମୁମ୍ବାଇ ଦଳର ଅଧିନାୟକ ଭାବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆସାମ ଟିମ୍‌ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌-ଏ ମୁକାବିଲାରେ ପୃଥ୍ବୀ ଏହି କମାଲ ଦେଖାଇଛନ୍ତି। ଏହି ମୁକାବିଲାରେ ସେ ୬୧ ବଲ୍‌ରେ ମୋଟ ୧୩୧ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୯ ଛକା ଏବଂ ୧୩ ଚୌକା ଥିଲା। ତାଙ୍କର ଶତକ ବଳରେ ମୁମ୍ବାଇ ଟିମ୍‌ର ସ୍କୋର ୨୦୦ ଟପି ଥିଲା । ମ୍ୟାଚ୍‌ରେ ୩ ଉଇକେଟ ହରାଇ ଦଳ ୨୩୦ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା।

କହିରଖୁଛୁ, ୨୦୧୮ରେ ଟେଷ୍ଟ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ପୃଥ୍ବୀ। ସେ ଭାରତ ପକ୍ଷରୁ ଶେଷ ମ୍ୟାଚ୍‌ ୨୦୨୧ ଜୁଲାଇରେ ଖେଳିଥିଲେ। ସେବେଠାରୁ ସେ ପୁଣିଥରେ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସଂଘର୍ଷ କରୁଛନ୍ତି।

Share