Categories: ଜାତୀୟ

ଭାକେଶନ ପାଇଁ ଯାଉଥିବା ଟିମ୍‌ ଇଣ୍ଡିଆ କ୍ରିକେଟରଙ୍କୁ ଅଟକାଇଲା ପୋଲିସ

ମୁମ୍ବାଇ,୧୪।୫ : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରୁ ଗୋଆକୁ ଛୁଟି କାଟିବା ପାଇଁ ଯାଉଥିବା ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ କାର୍‌କୁ ଅଟକାଇଥିଲା ପୋଲିସ। ଖେଳାଳିଙ୍କ ନିକଟରେ ନ ଥିଲା ଆନ୍ତଃ ରାଜ୍ୟ ଟ୍ରାଭେଲ ପାଇଁ ଆବଶ୍ୟକ ପାସ୍‌। ଏହି କାରଣରୁ ପୃଥ୍ବୀଙ୍କ କାର୍‌କୁ ଅଟକା ଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଯୁବ ଭାରତୀୟ ଓପନର ବୁଧବାର ସକାଳେ ଛୁଟି କାଟିବା ପାଇଁ ଗୋଆ ଯାଉଥିବାବେଳେ ଅମ୍‌ବୋଲିଠାରେ ଏହି ଘଟଣା ଘଟିଛି। ପାସ୍‌ ମିଳିବା ପରେ ପୃଥ୍ବୀଙ୍କୁ ରାଜ୍ୟ ବାହାରକୁ ଯିବା ପାଇଁ ଅନୁମତି ମିଳିଥିବା ଅଧିକାରୀ ସୂଚନା ଦେଇଛନ୍ତି। କୋଭିଡ୍‌-୧୯ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବାତିଲ ହେବା ପରେ ଶ’ ମୁମ୍ବାଇ ଫେରିଥିଲେ।

ରାଜ୍ୟ ବାହାରକୁ ଯିବା ପାଇଁ ପାସ୍‌କୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ସରକାର। ଶ’ ଇ-ପାସ୍‌ ପାଇଁ ଆବେଦନ କରିଥିଲେ। କିନ୍ତୁ ଅନୁମତି ମିଳିବା ପୂର୍ବରୁ ଗୋଆ ଅଭିମେଖ ବାହରି ଯାଇଥିଲେ ଏହି କ୍ରିକେଟର। ପୋଲିସ ଅଟକାଇବା ପରେ ସେ ପୁଣି ଥରେ ପାସ୍‌ ପାଇଁ ଆବେଦନ କରିଥିଲେ। ଘଣ୍ଟାଏ ପରେ ତାଙ୍କୁ ପାସ୍‌ ମିଳିଥିଲା।

Share