Categories: ଖେଳ

ପ୍ରୀତିଶା, ଆୟୁଷ୍ମାନ୍‌ ଚାମ୍ପିୟନ

ଭୁବନେଶ୍ୱର,୧୧।୪(କ୍ରୀଡ଼ା ପ୍ରତିନିଧି): କୋରାପୁଟର ସର୍ବୋଦୟ କମ୍ପ୍ଲେକ୍ସରେ ୧୭ ବର୍ଷରୁ କମ୍‌ (ବାଳିକା ଓ ବାଳକ)ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନ୍‌ଶିପ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୩୩ ବାଳିକା ଓ ୫୨ ବାଳକ ଅଂଶଗ୍ରହଣ କରିଥିଲେ। ବାଳିକା ବର୍ଗରେ ପ୍ରୀତିଶା ମିତ୍ର ଚାମ୍ପିୟନ୍‌ ହୋଇଛନ୍ତି। ସୀମା ପୃଷ୍ଟି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୧୪ ବର୍ଷରୁ କମ୍‌ ବର୍ଗରେ ସୋନାଲି ପରଜା, ୧୨ ବର୍ଷରୁ କମ୍‌ ବର୍ଗରେ ଡଲି ମୁଦୁଲି ଏବଂ ୧୦ ବର୍ଷରୁ କମ୍‌ ବର୍ଗରେ ସାନ୍‌ଭି ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳକ ବର୍ଗରେ ଆୟୁଷ୍ମାନ୍‌ ମହାନ୍ତି ଚାମ୍ପିୟନ ହୋଇଛନ୍ତି। ହିମାଂଶୁ ଶେଖର ପ୍ରଧାନଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି। ବାଳକ ୮ ବର୍ଷରୁ କମ୍‌ ବର୍ଗରେ ସାଗନିକ ରାୟ,୧୦ ବର୍ଷରୁ କମ୍‌ ବର୍ଗରେ ପ୍ରତ୍ୟୁଷ କୁମାର ସେଠୀ, ୧୨ ବର୍ଷରୁ କମ୍‌ ବର୍ଗରେ ସାଇ ଚିରଞ୍ଜିତ,୧୪ ବର୍ଷରୁ କମ୍‌ ବର୍ଗରେ ଯତୀନ ସେନାପତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୋରାପୁଟ ଜିଲାର ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ସଂଗ୍ରାମ ନାଚିକା, ମୟୂଖ ଦେବାଂଶ ସାହୁ ଏବଂ ବାଳିକା ବର୍ଗରେ ଶୁକ୍ରି ଜାନିଙ୍କୁ କୋରାପୁଟ ଜିଲା ଚେସ୍‌ ଆସୋସିଏଶନ ତରଫରୁ ଅକ୍ଷୟ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଛି। ବାଳକ ଓ ବାଳିକା ବର୍ଗରୁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ୪ ଖେଳାଳି ଆସନ୍ତା ମେ’ ୧ରୁ ୯ ପର୍ଯ୍ୟନ୍ତ ପଞ୍ଜାବର ଜଳନ୍ଧରଠାରେ ହେବାକୁଥିବା ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥି, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଅଧ୍ୟକ୍ଷ ଜି.ସି. ମହାପାତ୍ର, ମୁଖ୍ୟ ଆର୍ବିଟର ଭବେଶ ମହାନ୍ତି, ସାମାଜିକ କର୍ମୀ ମୀରା ପରିଡ଼ା, କୋରାପୁଟ ଜିଲା ଚେସ୍‌ ଆସୋସିଏଶନ ସଭାପତି ଲଲାଟେନ୍ଦୁ ପ୍ରତାପ ଦେଓ, ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, କୋଷାଧ୍ୟକ୍ଷ ସୁଶ୍ରୀ ସାଗରିକା ମୁନି, ଚେସ୍‌ ପ୍ରଶିକ୍ଷକ ଦୀନବନ୍ଧୁ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ଚିତ୍ତରଞ୍ଜନ ବାଗ୍‌ ଓ ହେମନ୍ତ ସାମଲ ସହଯୋଗ କରିଥିଲେ।

Share