ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ

ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍‌ ହାର ତଳକୁ ଖସିଛି। ଗତ ୨ ମାସ ତଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାରରୁ ଊର୍ଦ୍ଧ୍ୱ ରହିଥିବା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣ ୧୬୦୦ରୁ ବି କମ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାରରୁ ରାଜ୍ୟରେ ଲକ୍‌ଡାଉନକୁ କୋହଳ କରାଯାଇଥିବା ବେଳେ ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଚାଲିବ। ଏନେଇ ଶୁକ୍ରବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁଜରାଟର ୩୬ ଜିଲାରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ସମସ୍ତ ଦୋକାନ ବଜାର, ସେଲୁନ ଓ ସ୍ପା ଖୋଲିବାକୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଅନୁମତି ଦେଇଛନ୍ତି। ସେହିପରି ରାତି ୧୦ଟା ଯାଏ ରେଷ୍ଟୁରାଣ୍ଟ ଓ ହୋଟେଲରେ ହୋମ୍‌ ଡେଲିଭରୀ ସୁବିଧା ରହିଛି। ତେବେ ସମସ୍ତ ଜିଲାରେ ଜୁନ ୪ରୁ ୧୧ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୬ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share