ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ ସମସ୍ତ ବିକାଶମୂଳକ କାର୍ଯ୍ୟରେ ଏହି ବ୍ୟାଙ୍କଗୁଡିକ ନିଜର ଯୋଗଦାନ ରଖିପାରିବେ। ଦେଶର ବିକାଶରେ ଅଂଶୀଦାର ହେବା ସହ ସରକାରଙ୍କ ସାମାଜିକ କ୍ଷେତ୍ର ପଦକ୍ଷେପ ଏବଂ ଗ୍ରାହକଙ୍କୁ ସୁବିଧାରେ ସେବା ଯୋଗାଣକୁ ଗୁରୁତ୍ୱ ଦେବାରେ ଘରୋଇ ବ୍ୟାଙ୍କ କାର୍ଯ୍ୟ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ଟୁଇଟ ଯୋଗେ କହିଛନ୍ତି।
ନିୟମ କୋହଳ ହୋଇଥିବାରୁ ଘରୋଇ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କିଙ୍ଗ୍ ସଂକ୍ରାନ୍ତ ନେଣଦେଣରେ ସାମିଲ ହୋଇପାରିବେ। ଟିକସ, ଅନ୍ୟ ରାଜସ୍ବ ପେମେଣ୍ଟ ଫାସିଲିଟି, ପେନ୍ସନ ପେମେଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା ଭଳି ବିଭିନ୍ନ ଟ୍ରାଞ୍ଜାକଶନରେ ଘରୋଇବ୍ୟାଙ୍କ ଭାଗ ନେଇପାରିବେ। ସରକାରୀ ବିଜ୍ନେସ ପରିଚାଳନାରେ ଏହି ବ୍ୟାଙ୍କଗୁଡିକ କାର୍ଯ୍ୟ କରିବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟବସ୍ଥା କରିବ ବୋଲି ନିର୍ମଳା ମତ ପ୍ରକାଶ କରିଛନ୍ତି।
ସୀତାରାମନଙ୍କ ଏଭଳି ଘୋଷଣା ପରେ ନିଫ୍ଟିର ବ୍ୟାଙ୍କ ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଛି। ସେହିଭଳି ଘରୋଇବ୍ୟାଙ୍କଗୁଡିକ ମଧ୍ୟ ବେଶ୍ ଉତ୍ସାହିତ ହେଉଥିବ ନଜରକୁ ଆସିଛି। ଏଚ୍ଡିଏଫ୍ସି ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କର ଶେୟାର କାରବାର ପ୍ରାୟ ୪ରୁ୫% ବୃଦ୍ଧି ହୋଇଛି। ବିଏସ୍ଇ ସେନ୍ସେକ୍ସ ୧୦୫୦ପଏଣ୍ଟ ବୃଦ୍ଧି ହୋଇଥିବା ନଜରକୁ ଆସିଛି।