Categories: ରାଜ୍ୟ

ଶୁକ୍ରବାରଠାରୁ ବସ୍ ଧର୍ମଘଟ, ପୂଜାରେ ଘରକୁ ଫେରିବାକୁ ହନ୍ତସନ୍ତ ହେବେ ଯାତ୍ରୀ

ଭୁବନେଶ୍ୱର,୧୯।୧୦: ପୂର୍ବ ଘୋଷଣା ଆନୁଯାୟୀ ନିଜ ଜିଦରେ ଅଟଳ ବସ୍ ମାଲିକ ସଂଘ। ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଧର୍ମଘଟ କରିବାକୁ ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଘରୋଇ ବସ୍ ମାଲିକ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନ ଥିଲା। ଶେଷରେ ସରକାରଙ୍କ ପକ୍ଷରୁ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ପୂଜା ଆରମ୍ଭରୁ ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ସଂଘ।

ଧର୍ମଘଟ ନେଇ ସଂଘ ସଂପାଦକ କହିଛନ୍ତି ଯେ, ‘ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ, ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ, ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ।’

ପୂର୍ବରୁ ଗତ ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଗଡିବ ନାହିଁ ବୋଲି କୁହାଯାଇଥିଲା । ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି । ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

Share