୧୬ରୁ ଘରୋଇ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୨୭।୭(ଅନିଲ ଦାସ)ମୋ ବସ୍‌ ଚଳାଚଳକୁ ନେଇ ଘରୋଇ ବସ୍‌ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡି ବିଭିନ୍ନ ସ୍ଥାନକୁ ମୋ ବସ୍‌ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଫଳରେ ରାଜ୍ୟ ସରକାର କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍‌ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ। ସେହିପରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ମୋ ବସ୍‌ ସେବା ଜାରି ରହିଥିବାରୁ ଘରୋଇ ବସ୍‌ ମାଲିକ ହାତବାନ୍ଧି ବସିଲେଣି। ମୋ ବସ୍‌ ନାମରେ ବହୁ ବସ୍‌ ପର୍‌ମିଟ ନ ଥାଇ ବେଆଇନ ଭାବେ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଛି। ଏଥିଯୋଗୁ ସେହି ରୁଟ୍‌ରେ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ଘୋର ଆର୍ଥିକ କ୍ଷତି ସହୁଛନ୍ତି। ମୋ ବସ୍‌ ସେବା ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ତାହା ଗ୍ରାମାଞ୍ଚଳକୁ ସମ୍ପ୍ରସାରଣ କରାଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଅଭିଯୋଗ କରିଛି। ପୁନଶ୍ଚ ଅନ୍ୟ ଏକ ସ୍କିମ୍‌ରେ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମାର ଏବଂ ସହରାଞ୍ଚଳକୁ ବସ୍‌ ଚଳାଚଳ କରିବ। ଏହାଦ୍ୱାରା ଆହୁରି ଅରାଜକତା ସୃଷ୍ଟି ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ସମସ୍ୟାକୁ ନେଇ ସଂଘ ପକ୍ଷରୁ ଭୁବନେଶ୍ୱରରେ ବୁଧବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟର ବିଭିନ୍ନ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇ ମୋ ବସ୍‌ ସେବାକୁ ଗ୍ରାମାଞ୍ଚଳରୁ ବ୍ଲକ ସଦର ମହକୁମା ଓ ଆନ୍ତଃଜିଲାକୁ ଚଳାଚଳ କରିବାକୁ କଡ଼ା ବିରୋଧ କରିଛନ୍ତି। ରାଜ୍ୟ ସରକାର ଯଦି ଏହି ପ୍ରସ୍ତାବରୁ ନ ଓହରିବେ ତେବେ ସମସ୍ତ ବସ୍‌ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅଗଷ୍ଟ ୧୫ ତାରିଖ ସୁଦ୍ଧା ରାଜ୍ୟ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୧୬ ତାରିଖଠାରୁ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ସେ କହିଛନ୍ତି ଯେ ମୋ ବସ୍‌ ଯୋଗୁ ରାଜ୍ୟରେ ବସ୍‌ ମାଲିକମାନେ ହାତବାନ୍ଧି ବସିଲେଣି। ମୋ ବସ୍‌ ସେବା ସହରରେ ସୀମିତ ନ ହୋଇ ସମଗ୍ର ରାଜ୍ୟରେ ଚଳାଇବା ଦ୍ୱାରା ଘରୋଇ ବସ୍‌ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର। ଲୋକନାଥ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସମେତ ସଂଘର ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ।

Share